ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାଢ଼େ ୧୧ଟାରୁ ସାଢ଼େ ୩ଟା ଯାଏଁ ଚାଲିଲା ନାଟକ
  • ଯୁବକଙ୍କୁ ଉଦ୍ଧାର ପାଇଁ ପୋଲିସ୍‌, ଅଗ୍ନିଶମ କର୍ମଚାରୀ ନାକେଦମ୍‌
  • ଯୁବକଙ୍କୁ ଉଦ୍ଧାର ପାଇଁ ଉଡ଼ିଲା ଡ୍ରୋନ୍‌
  • ଦୁଇଟି ବ୍ରୁଣ୍ଟୋ ସ୍କାଏ ଲିଫ୍ଟର ଆସିଲା
  • ତାଳ ଜାଲ ବିଛା ହେଲା
  • ଶେଷରେ ଅପରେସନ୍‌ ସଫଳ ହେଲା

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆଜି ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା। ଜଣେ ଯୁବକ ପରିଜା ଲାଇବ୍ରେରୀ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା ଧମକ ଦେବାକୁ ନେଇ କ୍ୟାମ୍ପସ୍‌ ପୂରା ସରଗରମ ହୋଇଯାଇଥିଲା। ପ୍ରାୟ ୪ ଘଣ୍ଟାର ଅପରେସନ୍‌ ସଫଳ ହୋଇଛି ସତ, ହେଲେ ଏହି ୪ ଘଣ୍ଟା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା।

ଶୁକ୍ରବାର ଦିନ ସାଢ଼େ ୧୧ଟା। ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଜଣେ ଯୁବକଙ୍କୁ ହଠାତ୍‌ ଦେଖିବାକୁ ମିଳିଲା। ଏହି ଯୁବକ ଜଣକ ଛାତରୁ ତଳକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ଏହି ଖବର ଚାରିଆଡ଼େ ପ୍ରଚାର ହୋଇଗଲା। ଯିଏ ଯେଉଁଠି ଥିଲେ ସମସ୍ତେ ପରିଜା ଲାଇବ୍ରେରୀ ପାଖକୁ ଦୌଡ଼ିଲେ।

ଛାତ୍ରଛାତ୍ରୀଙ୍କ ଗହଳି ବଢ଼ିବାକୁ ଲାଗିଲା। ଖବରପାଇ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିଲେ। ସହିଦ ନଗର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ପରିଜା ଲାଇବ୍ରେରୀ ପାଖକୁ ଆସିଲେ।

ଗୋଟିଏ ପଟେ ପରିଜା ଲାଇବ୍ରେରୀ ତଳେ ଭିଡ଼ ବଢୁଥିବା ବେଳେ ଅନ୍ୟପଟେ ଛାତ ଉପରେ ଥିବା ଯୁବକ ଜଣକ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଥିଲେ। କେତେବେଳେ ସେ ଛାତର କଡ଼କୁ ଚାଲି ଆସୁଥିଲେ ତ ପୁଣି କେତେବେଳେ ଛାତ ମଝିକୁ ଚାଲି ଯାଉଥିଲେ। ଯୁବକଙ୍କର ଏଭଳି ଉନ୍ମତ୍ତକାଣ୍ଡ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଚିନ୍ତାରେ ପକାଇଲା। କେମିତି ଏହି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବେ ତାକୁ ନେଇ ଆରମ୍ଭ ହେଲା ଅପରେସନ୍।

ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅତ୍ୟାଧୁନିକ ବ୍ରୁଣ୍ଟୋ ସ୍କାଏ ଲିଫ୍ଟର ଅଣା ଯାଇଥିଲା। ପ୍ରଥମେ ଏହି ଲିଫ୍ଟରରେ କିଛି ଅଗ୍ନିଶମ କର୍ମଚାରୀ ଉପରକୁ ଯାଇଥିଲେ। ଯୁବକଙ୍କୁ ଆଣିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଯୁବକ ଜଣକ ଧରା ଦେଲେନି। ଛାତ ସାରା ଦୌଡ଼ିଲେ।

ଶେଷରେ ଲିଫ୍ଟର ତଳକୁ ଆସିଲା। ହେଲେ ଯୁବକ ଜଣକ ଆଉ ଦେଖାଦେଲେନି। ଯୁବକ କେଉଁଠି ଅଛନ୍ତି ତାହା ଜାଣିବା ପାଇଁ ଡ୍ରୋନ କ୍ୟାମେରା ଉଡ଼ାଗଲା। ଡ୍ରୋନରୁ ଜଣାପଡ଼ିଲା ଛାତ ମଝିରେ ଉଲଗ୍ନ ଅବସ୍ଥାରେ ଯୁବକ ଜଣକ ରହିଛନ୍ତି।

ଏହାପରେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଷ୍ଟ୍ରାଟେଜି ବଦଳାଇଥିଲେ। ଆଉ ଗୋଟିଏ ବ୍ରୁଣ୍ଟୋ ଲିଫ୍ଟ ମଗା ଗଲା। ତଳେ ଜାଲ ବିଛା ଗଲା। ବ୍ରୁଣ୍ଟୋ ଲିଫ୍ଟରରେ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କୁ ପଠାଗଲା। କାଳେ ମନସ୍ତତ୍ତ୍ୱବିତ୍‌ ଯୁବକଙ୍କ ସହ କଥାବାର୍ତ୍ତା କରିବା ପରେ ତାଙ୍କ ମନ ପରିବର୍ତ୍ତନ ହେବ ସେହି ଆଶାରେ ଏହି ପଦକ୍ଷେପ ନିଆଯାଇଥିଲା। ହେଲେ ଏହି ମିଶନ୍‌ ବି ଫେଲ୍ ମାରିଲା।

ଶେଷରେ ଲିଫ୍ଟରେ ଯୁବକଙ୍କ ପାଇଁ ରୁଟି, ଭଜା ଏବଂ ପିଇବା ପାଣି ନେଇ ଯାଇଥିଲେ  ଅଗ୍ନିଶମ କର୍ମଚାରୀ। ଯୁବକ ଜଣକ ପାଣି ବୋତଲ ନେଇଥିଲେ। ହେଲେ ଆଉ ଧରା ଦେଇ ନଥିଲେ। କିନ୍ତୁ ଚାଲାକ୍‌ କରି ଜଣେ ଅଗ୍ନିଶମ କର୍ମଚାରୀ ଛାତ ଲିଫ୍ଟରରୁ ଛାତ ଉପରକୁ ଡେଇଁ ଯୁବକଙ୍କୁ କାବୁ କରିନେଇଥିଲେ। ଲିଫ୍ଟରରେ ବସାଇ ସିଧା ତଳକୁ ଆଣିଥିଲେ।

ଏହି ଯୁବକଙ୍କୁ ପୋଲିସ ଗାଡ଼ିରେ ବସାଇ ସିଧା କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲା। ସେଠାରେ ତାର ଚିକିତ୍ସା କରାଯାଇଥିଲା। ପ୍ରାୟ ସାଢ଼େ ୩ଟା ବେଳକୁ ଏହି ନାଟକ ଶେଷ ହୋଇଥିଲା।

ଏହି ଯୁବକ ଜଣକ କିଏ?

ପରିଜା ଲାଇବ୍ରେରୀ ଛାତ ଉପରେ ଆତଙ୍କ ସୃଷ୍ଟି କରିଥିବା ଏହି ଯୁବକ ଜଣକ ହେଉଛନ୍ତି ସୁବୋଧ କୁମାର ବାରିକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ସେ ଆଳିସ୍ଥିତ ମହୁ ଡାକ ଘରେ ଚାକିରି କରିଥିଲେ। ଚାକିରି କରିବାର କିଛି ଦିନ ପରେ ତାଙ୍କର ମାନସିକ ବିକୃତି ବାହାରିଥିଲା। ଫଳରେ ଉପରିସ୍ଥ ଅଧିକାରୀ ତାଙ୍କୁ ଚାକିରିରୁ ବିଷ୍କାର କରିଥିଲେ।

ଚାକିରି ହରାଇବା ପରେ ସୁବୋଧଙ୍କର ମାନସିକ ବିକୃତି ଆହୁରି ବଢ଼ି ଯାଇଥିଲା। ଶେଷରେ ସେ ଗାଁ ଛାଡ଼ି ଭୁବନେଶ୍ୱର ଆସିଥିଲେ। ସମ୍ପର୍କୀୟଙ୍କ ଘରେ ରହି ଚାକିରି ଖୋଜୁଥିଲେ। କିନ୍ତୁ ଚାକିରି ମିଳୁ ନଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସୁବୋଧ ହଠାତ୍‌ କୁଆଡ଼େ ଫେରାର ହୋଇଯାଇଥିଲେ। ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିବା ପରେ ପତ୍ତା ମିଳି ନଥିଲା। ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଥିଲା।

ପୋଲିସ ଭୁବନେଶ୍ୱର ରାସ୍ତାରୁ ସୁବୋଧଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଛାଡ଼ି ଦେଇଥିଲା। ଏଠାରେ ସେ ରହିଥିଲେ। ହେଲେ ଗତ ଦୁଇ ଦିନ ତଳେ ମିଶନ ଆଶ୍ରାର ପାଚେରୀ ଡେଇଁ ସୁବୋଧ ପଳାଇ ଆସିଥିଲେ। ଆଜି ତାଙ୍କୁ ବାଣୀବିହାର ପରିଜା ଲାଇବ୍ରେରୀ ଛାତ ଉପରେ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here