ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୪ ଘଣ୍ଟା ଭିତରେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଫଡ୍‌ନାଭିସ୍‌ ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି। ଏହି ନୋଟିସ୍‌ ପରେ ମୁମ୍ବାଇରେ ତୁଙ୍ଗ ବିଜେପି ନେତାମାନେ ଏକାଠି ହୋଇଛନ୍ତି। ସୁପ୍ରିମକୋର୍ଟଙ୍କୁ କ’ଣ ଉତ୍ତର ଦିଆଯିବ ଏବଂ ଫ୍ଲୋର ଟେଷ୍ଟ ବେଳେ ସଂଖ୍ୟା ଗରିଷ୍ଠତା କିପରି ପ୍ରମାଣ କରାଯିବ ତାକୁ ନେଇ ବିଜେପି ନେତାମାନେ ମାନସ ମନ୍ଥନ ଚଳାଇଛନ୍ତି।

ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ମଧ୍ୟ ଉପସ୍ଥିତ ଅଛନ୍ତି। ଫଡ୍‌ନାଭିସ୍‌ ଯେତେବେଳେ ବୈଠକକୁ ଆସିଲେ ସେତେବେଳେ ଜିନ୍ଦାବାଦ ଧ୍ୱନିରେ ପରିବେଶ ଉଛୁଳି ପଡ଼ିଥିଲା।

ଏକ ନାଟକୀୟ ଢଙ୍ଗରେ ଦେବେନ୍ଦ୍ର ଫଡ଼୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଅଜିତ ପାୱାରଙ୍କ ସମର୍ଥନ ବଳରେ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିଛି। ହେଲେ ଯେଉଁଭଳି ଢଙ୍ଗରେ ମହାରାଷ୍ଟ୍ରରେ ସରକାର ଗଠନ ହେଲା ତାକୁ ନେଇ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି।

ସୁପ୍ରିମକୋର୍ଟର ତିନି ଜଣିଆ ସାମ୍ବିଧାନିକ ବେଞ୍ଚରେ ଏହି ମାମଲାର ଆଜି ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ ଦେଇଛନ୍ତି। ଏହି ନୋଟିସ୍‌କୁ ନେଇ ବିଜେପି ମନ୍ଥନ କରୁଛି।

ଏପଟେ ଏନ୍‌ସିପି ନେତା ଶରଦ ପାୱାରଙ୍କ ଘରେ ମଧ୍ୟ ନେତାଙ୍କ ଭିଡ଼ ଲାଗିଛି। ନେତାମାନେ ଏକାଠି ହୋଇ ବିଜେପି କେମିତି ଫ୍ଲୋର ଟେଷ୍ଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ନପାରିବ ସେନେଇ ମାନସ ମନ୍ଥନ କରୁଛନ୍ତି।

Comment