ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଯାଇଛି ଐତିହାସିକ କଟକ ବାଲିଯାତ୍ରା। ବ୍ୟବସାୟ ସାଙ୍ଗକୁ ଖୁବ୍‌ ଜମିଛି ଲୋକ ଗହଳି।

ଇଆଡେ ଆସ ଦିଟାରେ ଗୋଟାଏ ଆଇସକ୍ରିମ୍‌ ଫ୍ରି

ନେଇ ଯାଆନ୍ତୁ ସରିଯିବ

୫୦୦ ଟଙ୍କାର ଜିନିଷ କିଣିଲେ ଗୋଟିଏ ବାଲ୍ଟି ଫ୍ରି

ଆସନ୍ତୁ ଖାଇକି ଯାଆନ୍ତୁ ଠୁଙ୍କା ପୁରୀ କୋବି ତରକାରୀ

ଏଭଳି କୋଳାହଳ ମଧ୍ୟରେ ସରିଯାଇଛି ଚଳିତ ବର୍ଷର ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ବାଲିଯାତ୍ରାର ବେଶ୍‌ ମଜା ନେଇଛନ୍ତି ଦର୍ଶକ। କଟକର ଗଳିକନ୍ଦିରେ ଅଣନିଶ୍ଵାସୀ ହୋଇଯାଉଥିବା କଟକବାସୀ ବାଲିଯାତ୍ରା ସମୟରେ ନଈ କୂଳିଆ ପବନରେ ବୁଲିବା ସହ କିଣାକିଣି ମଧ୍ୟ ମଜା ନେଇଛନ୍ତି। କେବଳ କଟକ ନୁହେଁ ବାଲିଯାତ୍ରା ଦେଖିବାକୁ  କାହିଁ କେତେ ଦୂରରୁ ଲୋକମାନେ ଚାଲି ଆସିଥାନ୍ତି କଟକ। ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରର ଲୋକମାନେ ମଧ୍ୟ ଏଠାକୁ ବ୍ୟବସାୟ ପାଇଁ ଆସିଥିନ୍ତି। ସେଥିପାଇଁ ତ କଟକକୁ ବ୍ୟବସାୟର ପେଣ୍ଠସ୍ଥଳୀ ବୋଲି କୁହାଯାଏ।

ଏନେଇ ଉତ୍ତର ପ୍ରଦେଶର ଜଣେ ବ୍ୟବସାୟୀ ମହମ୍ମଦ ଆମିର୍‌ କହିଛନ୍ତି, “ବାଲିଯାତ୍ରାକୁ ଭାରତର ସବୁଠାରୁ ବଡ଼ ଯାତ୍ରା ବୋଲି କୁହାଯାଏ। ଦୀର୍ଘ ୧୨ ବର୍ଷ ହେଇଯିବ ଆମେ ଏଠାକୁ ବ୍ୟବସାୟ ପାଇଁ ଆସୁଛୁ। ଆସନ୍ତା ବର୍ଷ ମଧ୍ୟ ଆସିବୁ। ଏଥର ବହୁତ ଭଲ ବେପାର ମଧ୍ୟ ହୋଇଛି।”

ବାଲିଯାତ୍ରା ବୁଲିବା ସାଙ୍ଗକୁ ଭିନ୍ନ ଭିନ୍ନ ଖାଦ୍ୟ ପସରାର ମଧ୍ୟ ମଜା ନେଇଛନ୍ତି ଲୋକ। କଟକଠୁ ଆରମ୍ଭ କରି ମହାରାଷ୍ଟ୍ର ଖାଦ୍ୟର ଫୁଡ୍‌ ଷ୍ଟଲ୍‌ ଏଠାରେ ପଡ଼ିଥିଲା। ପଲ୍ଲିଶ୍ରୀ ମେଳାରେ କେଉଁଠି ଭିଡ଼ ଥାଉ ନଥାଉ କିନ୍ତୁ ଫୁଡ୍‌ ଷ୍ଟଲରେ ଜମାଣିଆ ଭିଡ଼ ଦେଖିବାକୁ ମିଳିଥିଲା। ବାଲିଯାତ୍ରାରେ କଟକ ଲୋକ ବାରିପଦା ମୁଢି ମାଂସର ପ୍ରଶଂସା କରୁଥିବା ବେଳେ ଅନ୍ୟ ଜିଲ୍ଲାର ଲୋକ ଠୁଙ୍କା ପୁରୀ ଆଉ ଦହିବରା ଆଳୁଦମ୍‌ର ପ୍ରଶଂସା କରୁଥିଲେ। ସେହିପରି ଓଡ଼ିଶାର ଦେଶୀ ଖାଦ୍ୟ ଚକୁଳି ଆଉ ମାଟି ହାଣ୍ଡି ମାଂସ ଲୋକମାନଙ୍କର ପ୍ରଥମ ପସନ୍ଦ ରହିଥିଲା।

ବାଲିଯାତ୍ରା ବୁଲିବାକୁ ଆସିଥିବା ସାର୍ଥକ ଅଭିନନ୍ଦନ ରାୟ କହିଛନ୍ତି, “କଟକ ଲୋକଙ୍କ ପ୍ରିୟ ଖାଦ୍ୟ ଦହିବରା ଆଳୁଦମ୍‌। ହେଲେ ଏଥର ମୁଁ ବାରିପଦା ମୁଢ଼ି ମାଂସ ଖାଇଲି ବହୁତ ଭଲ ଲାଗିଲା। କେବଳ ମୁଁ ବହୁତ ଲୋକ ମଧ୍ୟ ଏହାର ମଜା ନେଉଛନ୍ତି”।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସପରିବାର ନେଇ ଛୁଟି ଆସିଥିଲେ ଲୋକେ ବାଲିଯାତ୍ରା ଦେଖିବାକୁ। ଏହାସହ ବୋହି ନେଇଥିଲେ ହଜାର ହଜାର ଟଙ୍କାର ଜିନିଷ। ସ୍ତ୍ରୀ ଲୋକ ଘର କରଣା ଜିନିଷ କିଣିବାରେ ବ୍ୟସ୍ତ ଥିବା ବେଳେ ଝିଅମାନେ ସାଜସଜା ଜିନିଷରେ ବ୍ୟସ୍ତ। ସେହିପରି ଛୋଟ ପିଲାଠୁ ଆରମ୍ଭ କରି ଯୁକ ଯୁବତୀମାନେ ଚକ୍ରି ଦୋଳିରେ ବସିବାର ମଜାକୁ ହାତ ଛଡ଼ା କରିନଥିଲେ। ଏହାସହ ଏଥର ନୂଆ କରି ହୋଇଥିବା ନୌକାବିହାରରେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ଲୋକେ।

ବୁଲି ବୁଲି ଗୋଡ଼ ବିନ୍ଧା ହେଲାଣି। ହେଲେ ମନ ଭିତରେ ବୁଲିବାର ଆଗ୍ରହ କମୁ ନାହିଁ। ବୁଲାବୁଲି ମଧ୍ୟରେ କିଣାକିଣି ମଧ୍ୟ କରିଛୁ। ପାପୋଛ, ଶାଢି, ମସଲା ଜିନିଷ ସବୁ କିଣିଲୁ। ସବୁଥିରେ ଭଲ ଅଫର୍‌ ରହିଛି ବୋଲି କହିଛନ୍ତି ଭଦ୍ରକରୁ ଆସିଥିବା ଦର୍ଶକ ବନଜୋସ୍ନା ଭୁଜବଳ।

ତେବେ ଏତେ ମାତ୍ରାରେ ଭିଡ଼କୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ବାଲିଯାତ୍ରା ଭିତରେ ଲୋକମାନଙ୍କ ପାଇଁ ବିଭିନ୍ନ ଏଡ୍‌ ପୋଷ୍ଟ ଓ ସୂଚନା କେନ୍ଦ୍ର କରାଯାଇଥିଲା। ଏହାସହ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ ବେଶ ଦାୟିତ୍ଵରେ ତୁଲାଇଛନ୍ତି ଉଭୟ କମିସନରେଟ ପୋଲିସ ଓ ଟ୍ରାଫିକ ପୋଲିସ। ତେବେ ଏଥର ରବିବାର ହୋଇଥିବା ପ୍ରବଳ ଭିଡ଼କୁ କଟକ ପୋଲିସ ବେଶ ସଠିକ ଭାବେ ନିୟନ୍ତ୍ରଣ କରିଥିଲେ।

ଏନେଇ କଟକ ଡିସିପି ଅଖିଳେଶ୍ଵର ସିଂହ କହିଛନ୍ତି, “ଏଥର ବାଲିଯାତ୍ରାର ସ୍ଥାନକୁ ବଡ଼ କରାଯାଇଛି। ନୂଆ କରି ନୌକାବିହାର ମଧ୍ୟ ହୋଇଛି। ସେଥିପାଇଁ ଲୋକମାନେ ବହୁମାତ୍ରାରେ ଆସୁଛନ୍ତି। ୩ଦିନ ବଲିଉଡ୍‌ ସିଙ୍ଗରମାନେ ମଧ୍ୟ ଆସିଥିଲେ। ସେଥିପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।”

ଚଳିତ ବର୍ଷ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହାସହ ୯ଦିନର ବାଲିଯାତ୍ରାରେ ପ୍ରାୟ ୧୦୦ କୋଟିର ବ୍ୟବସାୟ କରିଛନ୍ତି ବ୍ୟବସାୟୀ। ଏଥର ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ବିଶେଷ କରି ରବିବାର ଦିନ ଏତେ ଭିଡ଼ ହୋଇଥିଲା ଯେ ପାର୍କିଂରେ ଗାଡ଼ି ରଖିବାକୁ ମଧ୍ୟ ଜାଗା ନଥିଲା। ଭିଡ଼ ଭିତରେ ଜନସମୁଦ୍ରରେ ଉଚ୍ଛୁଳି ପଡୁଥିଲା ବାଲିଯାତ୍ରା ପଡ଼ିଆ।

Comment