ଓଡ଼ିଶାଲାଇଭ୍ ବ୍ୟୁରୋ


ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ଜଟିଳ ହୋଇ ଚାଲିଛି। ଶନିବାର ଦିନ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଓ ଅଜିତ ପାୱାର ଯଥାକ୍ରମେ ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ହେଁ ସୋମବାର ଦିନ ସୁପ୍ରିମକୋର୍ଟରେ ଯେଉଁ ଶୁଣାଣି ହେବ ତାହାରି ଉପରେ ସବୁ କିଛି ନିର୍ଭର କରୁଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଗୃହରେ ଆସ୍ଥା ଭୋଟ ଲୋଡ଼ିବାକୁ ହିଁ ହେବ। ହୁଏତ ସୁପ୍ରିମକୋର୍ଟ କହିବେ ସେହି ବିଶ୍ୱାସ ଭୋଟ କେବେ ହେବ। ତେବେ ମହାରାଷ୍ଟ୍ରର ନବନିର୍ବାଚିତ ୨୯ ବିଧାୟକଙ୍କ ଉପରେ ଏବେ ସମସ୍ତଙ୍କ ନଜର ଲାଖି ରହିଛି।

ବିଜେପି ନେତା କହୁଛନ୍ତି ଯେ ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଅନୁମାନ କରାଯାଉଛି ଏହି ୧୭୦ ଭିତରେ ସ୍ୱାଧୀନ ଓ ଛୋଟ ଛୋଟ ଦଳର ବିଧାୟକ ବି ଅଛନ୍ତି। ଏହି ବିଧାୟକମାନେ ହିଁ ସଂଖ୍ୟା ଗରିଷ୍ଠତା ପ୍ରମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ପାଖରେ ନିଜ ଦଳର ୧୦୫ ବିଧୟକ ଅଛନ୍ତି। ୫୪ ଏନସିପି ବିଧାୟକଙ୍କ ସମର୍ଥନକୁ ନେଇ କିଛି ସ୍ପଷ୍ଟ ସଂକେତ ମିଳୁନାହିଁ। ଏମାନେ ପ୍ରକୃତରେ ଅଜିତଙ୍କ ସହ ଅଛନ୍ତି କି ଶରଦ ପାୱାରଙ୍କ ସହ ଅଛନ୍ତି ତାହା ସ୍ପଷ୍ଟ ହେଉନାହିଁ। ଏଣୁ ନିର୍ଦ୍ଦଳୀୟ ଓ ଛୋଟ ଛୋଟ ଦଳର ବିଧାୟକ ଯାହାକୁ ସମର୍ଥନ ଦେବେ ସେ ଆସ୍ଥା ଭୋଟରେ ଜିତିବେ। ନିର୍ବାଚନରେ ୧୩ ସ୍ୱାଧୀନ ବିଧାୟକ ଜିତିଥିବା ବେଳେ ଅନ୍ୟ ଦଳର ଜଣେ ଦୁଇ ଜଣ ଲେଖାଏଁ ଜିତିଛନ୍ତି।

ଏହିପରି ଗୋଳମାଳିଆ ସ୍ଥିତିରେ କାହା ପଛରେ କେତେ ବିଧାୟକ ଅଛନ୍ତି ତାହା ଫ୍ଲୋର ଟେଷ୍ଟ ଦିନ ହିଁ ଜଣାପଡ଼ିବ। ସେତେବେଳ ପର୍ଯ୍ୟନ୍ତ ଆମକୁ ଅନୁମାନ ଭିତରେ ହିଁ ରହିବାକୁ ପଡ଼ିବ।

Comment