ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନାଟକୀୟ ମୋଡ଼ରେ ମହାରାଷ୍ଟ୍ରରେ ସରକାର ଗଠନ କରିଛି ବିଜେପି। ଦେବେନ୍ଦ୍ର ଫଡ୍ନାଭିସ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନ୍ସିପି ନେତା ଅଜିତ ପାୱାରଙ୍କ ‘ପାୱାର’ ବଳରେ ଫଡ୍ନାଭିସ୍ ସରକାର ଗଠନ ହୋଇଛି। ହେଲେ ସରକାର ଗଠନ ପରେ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଛକାପଞ୍ଝା ଚାଲିଛି ସେଥିରେ ଫଡ୍ଡ଼ାଭିସ୍ ସରକାର କେତେଦିନ ତିଷ୍ଠିବେ ତାକୁ ନେଇ ଚର୍ଚ୍ଚା ଚାଲିଛି।
ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୪୫। ହେଲେ ବିଜେପି ପାଖରେ ଅଛନ୍ତି ୧୦୫ ବିଧାୟକ। ଅଜିତ ପାୱାର ରାତାରାତି ଫଡ୍ନାଭିସ୍ଙ୍କୁ ୨୨ ବିଧାୟକଙ୍କୁ ଧରି ସମର୍ଥନ ଦେଇଥିବାରୁ ବିଜେପି ସରକାର ଗଠନ କରିବାକୁ ସମର୍ଥ ହୋଇଛି। ଏହାସହ ଆଉ କିଛି ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ବିଜେପି ଦାବି କରୁଛି। ହେଲେ ଅଜିତ ପାୱାରଙ୍କ ସମର୍ଥନ ପରେ ଶରଦ ପାୱାର ନିଜର ଦମ୍ ଦେଖାଇଛନ୍ତି। ଜଣେ ବି ଏନ୍ସିପି ବିଧାୟକ ବିଜେପିକୁ ସମର୍ଥନ କରିବେନି ବୋଲି ଶରଦ ଦମ୍ଭ ଦେଖାଇଛନ୍ତି।
ଆଜି ଏନ୍ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ୫୧ ଜଣ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି। ଅର୍ଥାତ୍ ୫୧ ବିଧାୟକଙ୍କ ସମର୍ଥନ ଏନ୍ସିପି ପାଖରେ ରହିଥବା ସେ କହିଛନ୍ତି। ଯଦି ଏନ୍ସିପିର ବିଧାୟକ ବିଜେପିକୁ ସମର୍ଥନ ଦେବେ ନାହିଁ ତାହାଲେ ଫଡ୍ନାଭିସ୍ ସରକାର କେମିତି ତିଷ୍ଠିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଆସନ୍ତା ୩୦ ତାରିଖରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ଫଡ୍ନାଭିସ୍ ସରକାର। ହେଲେ ଏହା ପୂର୍ବରୁ ଶିବସେନା, ଏନ୍ସିପି ଓ କଂଗ୍ରେସ ସୁପ୍ରିମକୋର୍ଟ ଯାଇଛନ୍ତି। ୩୦ ଯାଏଁ ଅପେକ୍ଷା ନକରି ତୁରନ୍ତ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମମୋର୍ଟ ପିଟିସନ ଦାୟର ହୋଇଛି। ଯଦି ସୁପ୍ରିମକୋର୍ଟ ତୁରନ୍ତ ଟେଷ୍ଟ ପାଇଁ ଫଡ୍ନାଭିସ୍ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତି ତାହାଲେ ବିଜେପି ସମର୍ଥନ ଯୋଗାଡ଼ କରିପାରିବ କି ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି।
ସବୁଠୁ ବଡ଼ କଥା ହେଉଛି ଯେଉଁ ୨୨ ବିଧାୟକଙ୍କୁ ନେଇ ଅଜିତ ପାୱାର ବିଜେପିକୁ ସମର୍ଥନ କରିଥିଲେ ସେମାନଙ୍କ ମଧ୍ୟରୁ ଅଧା ବିଧାୟକ ଏନ୍ସିପି ପଟକୁ ଢଳିଛନ୍ତି। ଶରଦ ପାୱାରଙ୍କୁ ଛାଡ଼ି ସେ କୁଆଡ଼େ ଯିବେନି ବୋଲି କହିଛନ୍ତି। ଏପଟେ ବିଜେପି ମଧ୍ୟ ବିଧାୟକଙ୍କ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି। ତେବେ ଏସବୁ ବଳ କଷାକଷି ଭିତରେ ଫଡ୍ନାଭିସ୍ ସରକାର ଶକ୍ତି ପରୀକ୍ଷାରେ ପାସ୍ କରୁଛନ୍ତି ନା ଫେଲ୍ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।


















