ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ଗଠନ ହେଲା ନୂଆ ମେଣ୍ଟ ଦଳ। ଶିବସେନା-ଏନ୍‌ସିପି-କଂଗ୍ରେସ ଦଳର ମେଣ୍ଟରେ ଏହି ଦଳ ଗଠନ କରାଯାଇଛି। ଯାହାର ନାଁ ରହିଛି ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)। ଏହି ଦଳର ନେତା ରହିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।

ମହାରାଷ୍ଟ୍ର ରାଜନୀତିରେ ବାଜି ମାରି ନେଲେ ଉଦ୍ଧବ ଠାକରେ। ଏବେ ଏହି ତିନି ଦଳକୁ ନେଇ ମହାରାଷ୍ଟ୍ରରେ ସରକାର ଗଢ଼ିବେ ଉଦ୍ଧବ। ଆସନ୍ତା ଡିସେମ୍ଵର ୧ ତାରିଖରେ ଶିବାଜୀ ପାର୍କରେ ଶପଥପାଠ ସମାରୋହ ଆୟୋଜନ କରାଯିବ ବୋଲି ମଧ୍ୟ ଘୋଷଣା ସରିଛି।

ମହାରାଷ୍ଟ୍ରରେ ଘଡ଼ିକି ଘୋଡ଼ା ଛୁଟୁଛି। ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ଦେବେନ୍ଦ୍ର ଫଡନାଭିସ୍‌ ଶନିବାର ସରକାର ଗଢ଼ିଥିଲେ। ଏହାପରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର ବିଜେପିକୁ ସରକାର ଗଢ଼ିବାକୁ ଦେବୁନି ବୋଲି କହିଥିଲେ। ପରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବେ ବିଜେପିର ଫ୍ଲୋର ଟେଷ୍ଟ ଦାବିକରି ସୁପ୍ରିମକୋର୍ଟରେ ଅପିଲ କରିଥିଲେ।

ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପି ହାର ମାନିଯାଇଛି। ଦଳ ପାଖରେ ବହୁମତ ନଥିବା ଦେବେନ୍ଦ୍ର ଫଡନାଭିସ୍‌ କହିଥିବା ବେଳେ ନିଜ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ଫଡନାଭିସ୍‌ଙ୍କ ୩ ଦିନଆ ସରକାରର ଅନ୍ତ ଘଟିଛି।

Comment