ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡା ଜିଲ୍ଲା ସାରସମାଲ ରୋହିଦାସ ପଡାରେ ଘର ସାମ୍ନାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ନାଁ କନକଲତା ରୋହିଦାସ। ତେବେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଗୋପାଳ ଯାଦବ।

ଘଟଣା ବିଷୟରେ ଖବର ପାଇ ପୋଲିସ ବୁଧବାର ସକାଳେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତ ଗୋପାଳକୁ ସୁନ୍ଦରଗଡରୁ ଗିରଫ କରିଥିଲା। ଗୋପାଳଠାରୁ ପୋଲିସ ୨ଟି ବନ୍ଧୁକ, ୮ଟି ଗୁଳି ଓ ୨ଟି ମୋବାଇଲ ଫୋନ ଜବତ କରିଛି। ଅଭିଯୁକ୍ତ ଜଣକ ଜମସେଦପୁର ନିବାସୀ ହୋଇଥିବା ବେଳେ ଦୀର୍ଘ ଦିନରୁ ସମ୍ବଲପୁରରେ ପରିବା ବେପାର କରୁଥିଲା ବୋଲି ଜଣାପଡିଛି।

ମଙ୍ଗଳବାର ରାତିରେ ଘରେ ସମସ୍ତେ ଶୋଇଥିଲା ବେଳେ କନକଲତା ଘରୁ ବାରିପଟେ ବାହାରିଥିଲେ। ସେଠାରେ ଗୋପାଳ ବାଇକରେ ଆସି ତାଙ୍କ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କନକଲତାଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ବାରିପଟେ ପଡିଥିବା ପରିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।

ଝାରସୁଗୁଡା ଏସଡିପିଓ କୈଳାସ ଆଚାର୍ଯ୍ୟ, ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ।

Comment