ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆରପାରିରେ ଅଭିନେତା ଓ ନିର୍ଦ୍ଦେଶକ ପରମାନନ୍ଦ ସାହୁ। ଦୂରଦର୍ଶନର ଜଣେ ଖ୍ୟାତନାମା କଳାକାର ଓ ବାଲେଶ୍ଵର ନାଟ୍ୟଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ଵ ଭାବେ ସେ ବେଶ ପରିଚିତ। ଶନିବାର ସକାଳ ୯ଟା ୧୫ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ସହରରେ ଶୋକର ଛାୟା ଖେଳାଇ ଦେଇଛି।

ପରମାନନ୍ଦ ସାହୁ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ରହିବା ସହ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳେ ବାଲେଶ୍ଵର ସହରର ମାକଲପୁରରେ ତାଙ୍କ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି।

ପରମାନନ୍ଦ ସାହୁ ୩୧ ଜୁଲାଇ ୧୯୪୭ ମସିହାରେ ବାଲେଶ୍ଵର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ମଞ୍ଚ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଭାବରେ ସେ ଥିଲେ ଜଣେ ଅଙ୍ଗୀକାରବଦ୍ଧ କଳାକାର। ଦୂରଦର୍ଶନର ଜଣେ ସଫଳ ଅଭିନେତା ଭାବେ ସେ ସ୍ଵୀକୃତ। ବିଶେଷ କରି ଭୁବନେଶ୍ୱର ଦୂରଦର୍ଶନ ପ୍ରସ୍ତୁତ ମେଗା ସିରିଏଲ୍ ‘ତୁଳସୀ’ରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣି ପାରିଥିଲା। ଏହାପରେ ସେ ‘ଅପା’ ସିରିଏଲ୍ ରେ ମଧ୍ୟ ଅଭିନୟ କରି ସୁନାମ ଅର୍ଜନ କରିଥିଲେ। ଏହାବ୍ୟତୀତ, ସାଧୁ ମେହେର ନିର୍ଦ୍ଦେଶିତ ବଙ୍ଗଳା ସିରିଏଲ୍ ‘ବିଦେଶିନୀ ବଧୂ’ରେ ମଧ୍ୟ ସେ ଅଭିନୟ କରିଥିଲେ।

୨୦୦ରୁ ଅଧିକ ନାଟକରେ ଅଭିନୟ ଏବଂ ୧୦୦ରୁ ଅଧିକ ନାଟକରେ ଅଭିନୟ କରିଥିବା ପରମାନନ୍ଦ ଆଶା, ସୁଭଦ୍ରା, ସାମ୍ନାରେ ଜଗନ୍ନାଥ, ପରିଚୟ ଭଳି ଟେଲି-ଡ୍ରାମାରେ ଅଭିନୟ କରି ନିଜର ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ। ସେ ଆକାଶବାଣୀର ଏବଂ ଭାରତ ସରକାରଙ୍କ ସଂଗୀତ ଓ ନାଟକ ପ୍ରଭାଗର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର ଥିଲେ।

Comment