ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦେଶରେ ଆର୍ଥିକ ମାନ୍ଦା ଅବସ୍ଥାକୁ ନେଇ ସବୁ ସ୍ତରରେ ଚିନ୍ତା ପ୍ରକଟ କରାଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭରସା ଦେଇ କହିଛନ୍ତି ଯେ ଯେତେ ସବୁ କଡ଼ା ପଦକ୍ଷେପ ନେବା ଦରକାର ଥିଲା ତାହା ସରିଛି। ଏବେ ଅର୍ଥନୀତି ଉପରେ ଦୃଷ୍ଟି ଦିଆଯିବ। ଏଣୁ ସରକାରଙ୍କ ଉପରେ ଲୋକେ ବିଶ୍ୱାସ କରିବା ଦରକାର।

ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ଇନକମ ଟ୍ୟାକ୍ସ ଅଧିକାରୀଙ୍କ ଚଢ଼ାଉ ଓ ଚାରିଆଡ଼େ ଭୟର ବାତାବରଣ ସମ୍ପର୍କରେ ଶାହ କହିଲେ ଯେ କେହି କାହାକୁ ଡରିବାର ଆବଶ୍ୟକତା ନାହିଁ। ଦେଶର ସିଷ୍ଟମକୁ ସଫା କରିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରିବା ଦରକାର ହେଉଥିଲା ତାହା ନିଆ ସରିଛି ଏବଂ ଆଗକୁ ଭଲ ସମୟ ଆସିବ।

ଶନିବାର ଦିନ ମୁମ୍ବାଇରେ ଅନୁଷ୍ଠିତ ଇକନମିକ ଟାଇମସ୍ ପକ୍ଷରୁ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଗୃହ ମନ୍ତ୍ରୀ ଏକଥା କହିଛନ୍ତି। ଦେଶରେ ମାନ୍ଦାବସ୍ଥା ଲାଗିଥିବା କଥା ସ୍ଵୀକାର କରିବାକୁ ଯାଇ ଶହ କହିଲେ ଯେ ଦେଶ ଏହି ଅବସ୍ଥାରୁ ଶୀଘ୍ର ମୁକୁଳି ଆସିବ ଏହି ବିଶ୍ୱାସ ମୋର ରହିଛି। ସେ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ ଦେଶ ଓ ଅର୍ଥନୀତି ପାଇଁ ଯାହା ଭଲ ସେ ନେଇ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ।

ଗୃହମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଗ୍ଲୋବାଲ ଡେଷ୍ଟିନେସନ ଭାବରେ ଠିଆ ହୋଇଛି ଏବଂ ବିଦେଶୀ କମ୍ପାନିମାନେ ଏଠି ପୁଞ୍ଜି ବିନିଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

Comment