ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ତିନି ଦିନରେ ଫଡ୍‌ନବିସ୍‌ ସରକାର ଭାଙ୍ଗିବା ପରେ ବିଜେପିରେ ବିଦ୍ରୋହ ଦେଖାଦେଇଛି। ଏହି ବିଦ୍ରୋହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ କରିଛନ୍ତି। ଯଦିଓ ସେ ସିଧାସଳଖ ବିଜେପି କିମ୍ବା ଫଡ୍‌ନବିସ୍‌ଙ୍କ ବିରୋଧରେ କିଛି କହି ନାହାନ୍ତି, ହେଲେ ତାଙ୍କ ପଦକ୍ଷେପ ଅନ୍ୟ କିଛି ସଙ୍କେତ ଦେଇଛି।

ଡିସେମ୍ବର ୧୨ ତାରିଖରେ ଗୋପୀନାଥ ମୁଣ୍ଡେଙ୍କ ଜନ୍ମଦିନ। ଏହି ଦିନ ପଙ୍କଜା ନିଜ ସମର୍ଥକମାନଙ୍କୁ ଡାକିଛନ୍ତି। ସମର୍ଥକମାନଙ୍କ ସହ ସେ ଆଲୋଚନା କରିବେ। ୧୦ ଦିନ ଭିତରେ ବଡ଼ ନିଷ୍ପତ୍ତି ନେବେ ବୋଲି ପଙ୍କଜା ନିଜ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି।

ପଙ୍କଜା ମୁଣ୍ଡେ ଏଥର ନିର୍ବାଚନ ହାରିଛନ୍ତି। ମହାରାଷ୍ଟ୍ର ପରଲି ଆସନରୁ ସେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ ଧନଞ୍ଜୟ ମୁଣ୍ଡେ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିଲେ। ଧନଞ୍ଜୟ ହେଉଛନ୍ତି ପଙ୍କଜାଙ୍କ ଭାଇ। ପଙ୍କଜାଙ୍କୁ ସେ ୩୦ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ।

ହେଲେ ନିର୍ବାଚନ ପରେ ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଚାଲିଥିଲା। ପ୍ରାୟ ମାସେ ପରେ ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିଥିଲେ ଫଡନବିସ୍‌। ଏହି ଯୋଗସୂତ୍ର ରକ୍ଷା କରିଥିଲେ ଧନଞ୍ଜୟ। ହେଲେ ତିନି ଦିନରେ ଫଡନବିସ୍‌ ସରକାର ଭାଙ୍ଗି ଯାଇଥିଲା। ମହାରାଷ୍ଟ୍ରରେ ଏବେ କଂଗ୍ରେସ-ଏନ୍‌ସିପି-ଶିବସେନାର ମିଳିତ ସରକାର ଗଠନ ହୋଇଛି। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜନୀତି ବାତାବରଣ ଶାନ୍ତ ପଡ଼ିନି। ବିଜେପିରେ ପଙ୍କଜା ମୁଣ୍ଡେ ଏବେ ବିଦ୍ରୋହର ସ୍ୱର ଉଠାଇଥିବା କୁହାଯାଉଛି।

Comment