ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’। ଏହା ଅଧିନରେ ରହିଥିଲା ଥାନା ଓ ଡାକ୍ତରଖାନା। ଦୁଇ ମାସ ପରେ ମୋ ସରକାର ଯୋଜନା ପରିସରକୁ ଅଧିକ ବ୍ୟାପକ କରିଛନ୍ତି ରାଜ୍ୟ ସରକାର। ଆଜିଠୁ ‘ମୋ ସରକାର’ ଅଧିନରେ ୬ଟି ବିଭାଗର ୯ଟି ଯୋଜନା ସାମିଲ ହୋଇଛି।

ମୋ’ ସରକାର ଅଧିନକୁ ଆସିଛି ଚାଷୀ ପଞ୍ଜିକରଣ ବ୍ୟବସ୍ଥା। ଅନ୍‌ଲାଇନ୍‌ ଟୋକନ୍‌ ବ୍ୟବସ୍ଥା ଲାଗୁ ହେବା ପରେ ଚାଷୀମାନେ ଧାନ ବିକିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହାକୁ ନେଇ ଆନ୍ଦୋଳନ ତେଜିଥିଲା। ପରେ ସରକାର ଟୋକନ୍‌ ବ୍ୟବସ୍ଥାକୁ କୋହଳ କରିଥିଲେ।

ଏବେ ଏହି ବ୍ୟବସ୍ଥାରେ ଚାଷୀ କେମିତି ଧାନ ବିକ୍ରି କରୁଛନ୍ତି ତାହା ଜାଣିବା ପାଇଁ ଚାଷୀ ପଞ୍ଜିକରଣ ବ୍ୟବସ୍ଥାକୁ ମୋ ସରକାର ଅଧିନକୁ ଆଣିଛନ୍ତି ରାଜ୍ୟ ସରକାର। ଆଜି ଏନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ବଲପୁର, ବଲାଙ୍ଗିର ଏବଂ ବରଗଡ଼ର ଚାଷୀଙ୍କ ସହ ଫୋନରେ କଥା ହୋଇଥିଲେ।

ଏପଟେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟ ସରକାର ମୋ ସରକାର ଅଧିନକୁ ‘ବାହନ’ ଏବଂ ‘ସାରଥୀ’କୁ ମଧ୍ୟ ଆଣିଛନ୍ତି।

‘‘ଡିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏଣୁ ପରିବହନ ବିଭାଗରେ ଥିବା ବାହନ ଓ ସାରଥୀକୁ ମୋ ସରକାର ଯୋଜନାରେ ସାମିଲ କରାଯାଇଛି। ଲୋକେ ନୂଆ ଟ୍ରାଫିକ ନିୟମ ମାନିବା ଉଚିତ’’, କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

କାଳିଆ ଯୋଜନା ମଧ୍ୟ ମୋ ସରକାର ଅଧିନକୁ ଆସିଛି। ଏଥିପାଇଁ ଜିଲ୍ଲାୱାରୀ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛି କୃଷି ବିଭାଗ।

ମୋ ସରକାର ଅଧିନରେ ଆସିବା ପରେ ପ୍ରଶାସନିକ ଅଧିକାରୀମାନେ ଫୋନ୍‌ କରି ହିତାଧିକାରୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବେ।

ରାଜ୍ୟ କୃଷି ବିଭାଗ ମଧ୍ୟ ପବ୍ଲିକ ଗ୍ରିଭାନ୍ସ ପୋର୍ଟାଲ ଖୋଲିବେ। ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ସିଧାସଳଖ ଅଭିଯୋଗ କରିପାରିବେ। କାଳିଆ ତାଲିକାରୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଥିଲେ ସେମାନେ ସରକାରଙ୍କୁ ଜଣାଇ ପାରିବେ।

ସେହିପରି ଖଦ୍ୟ ସୁରକ୍ଷା ଯୋଜନା, ମମତା ଯୋଜନା, ମିଶନ ଶକ୍ତି, ପାନୀୟ ଜଳ ଯୋଗାଣକୁ ମଧ୍ୟ ମୋ ସରକାର ଅଧିନରେ ସାମିଲ କରାଯାଇଛି।

Comment