ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଏନ୍ଆରସି ଓ ଆତଙ୍କବାଦ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ।

“୨୦୨୪ ସୁଦ୍ଧା ଭାରତରୁ ସବୁ ଅନୁପ୍ରବେଶକାରୀଙ୍କୁ ହଟାଯିବ। ହେଲେ କଂଗ୍ରେସ ଏହାକୁ ବିରୋଧ କରୁଛି। ସେମାନେ ରହିବେ କେଉଁଠି? ଖାଇବେ କ’ଣ? ବୋଲି ପ୍ରଶ୍ନ କରୁଛି। ଅନୁପ୍ରବେଶକାରୀମାନେ ବୋଧ ହୁଏ କଂଗ୍ରେସର ସଂପର୍କୀୟ ଭାଇ, ତେଣୁ ସେମାନେ ଏନ୍ଆରସି ବିଲକୁ ନେଇ ବିରୋଧ କରୁଛନ୍ତି”, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସୋମବାର ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ବେଳେ ଏଭଳି ଭାବରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଅମିତ ଶାହ। ସେ ଏନଆରସି ଓ ଆତଙ୍କବାଦୀ ପ୍ରସଙ୍ଗକୁ କେନ୍ଦ୍ର କରି ସିଧାସଳଖ କଂଗ୍ରେସ ଉପରେ ବର୍ଷିଛନ୍ତି। ଝାଡ଼ଖଣ୍ଡର ବିକାଶ ପାଇଁ ଭୋଟରମାନେ ବିଜେପିକୁ ଭୋଟ୍ ଦେବା ଉଚିତ୍। ଝାଡ଼ଖଣ୍ଡରେ ବିଜେପି ସରକାର ଆସିଲେ ରାଜ୍ୟରେ ଆତଙ୍କାବାଦକୁ ସମୂଳେ ନାଶ କରାଯାଇପାରିବ ବୋଲି ଅମିତ ଶାହ କହିଛନ୍ତି।

ଏହାସହ ଦେଶର ବିକାଶ ଧାରରେ ଝାଡଖଣ୍ଡ ସାମିଲ ହେବା ପାଇଁ ଅମିତ ଶାହ ରାଜ୍ୟବାସୀଙ୍କୁ ବିଜେପିକୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।

ଅନ୍ୟପଟେ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ପ୍ରଚାର ମଇଦାନରେ ସେ ଆଦିବାସୀମାନଙ୍କୁ ଜମି ପ୍ରଦାନ ଓ ଆତଙ୍କବାଦ ଆଦି ବିଷୟକୁ ପ୍ରସଙ୍ଗ କରି ବିଜେପି ବିଜୟରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିଛନ୍ତି।

“ବିଜେପିର ଯେଉଁ ରାଜ୍ୟରେ ସରକାର ଅଛି, ସେଇଠି ସାଧାରଣ ଲୋକଙ୍କଜମିକୁ ଛଡ଼ାଇ ନେଇ ଏହାକୁ ଶିଳ୍ପପତିମାନଙ୍କୁ ବାଣ୍ଟିଦିଆଯାଉଛି। ଛତିଶଗଡ଼ରେ କଂଗ୍ରେସ ସରକାର ଅଛି, ଯେଉଁଠି ସରକାର ଶିଳ୍ପପତିଙ୍କୁ ଜମି ନଯୋଗାଇ ପ୍ରଥମେ ଆଦିବାସୀ ଲୋକମାନଙ୍କୁ ଜମି ଯୋଗାଇଦେଉଛନ୍ତି”, କହିଛନ୍ତି ରାହୁଲ ଗାନ୍ଧୀ।

ଏହାସହ ମୋଦୀ ସରକାରର ସାଢ଼େ ୫ବର୍ଷରୁ ଅଧିକ ସମୟ ଧରି ଦେଶରେ ଶାସନ କଲାପରେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନଙ୍କର ଋଣ ଛାଡ଼ କରାଯାଇନି ବୋଲି କହିଥିଲେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ।

୩୦ ନଭେମ୍ବରରେ ଝାଡ଼ଖଣ୍ଡର ୧୩ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଆସନ୍ତା ଡିସେମ୍ବର ୭ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରଚାର ଜୋରଦାର କରିଛନ୍ତି।

Comment