ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଥିବା ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ରକୁ ଫେରାଇ ଦେବା ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଡ୍ରାମା କରିଥିଲା ବୋଲି କହିଛନ୍ତି ବିଜେପି ନେତା ଅନନ୍ତ ହେଗଡେ।

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ପଛର ରହସ୍ୟ ଉନ୍ମୋଚନ କରିଛନ୍ତି ବିଜେପି ନେତା ତଥା ସାଂସଦ ଅନନ୍ତ ହେଗଡେ। କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ଦେଇଥିବା ଅନୁଦାନ ସ୍ୱରୂପ ୪୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଫେରାଇଦେବା ପାଇଁ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି ସେ କହିଛନ୍ତି।

“ମହାରାଷ୍ଟ୍ରରେ ଆମର ବହୁମତର ସରକାର ନଥିଲା। ଏହାପରେ ମଧ୍ୟ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ। ଏହାର କାରଣ କ’ଣ ଜାଣିଛନ୍ତି? କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ଦେଇଥିବା ୪୦ ହଜାର କୋଟିକୁ ପୁଣି କେନ୍ଦ୍ରକୁ ଫେରାଇଦେବା ପାଇଁ ଫଡନାବିସ ତିନି ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ”, କହିଛନ୍ତ ହେଗଡେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୧୫ ଘଣ୍ଟା ଭିତରେ ଫଡନାଭିସ୍ ଏହି ୪୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯଦି ଏହି ଟଙ୍କା ଶିବସେନା,ଏନସିପି ଓ କଂଗ୍ରେସର ମେଣ୍ଟ ସରକାର ପାଖରେ ରହିଥାନ୍ତା, ତେବେ ଏହି ଟଙ୍କାର ଅପବ୍ୟବହାର ହୋଇଥାନ୍ତା ବୋଲି ଭାବି ଏଭଳି ନିଷ୍ପତ୍ତି ନିଆଯାଇଥିଲା। ତେବେ ଫଡନାଭିସ୍ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟକୁ ସିଧାସଳଖ ଭୁଲ୍ ବୋଲି କହିଛନ୍ତି। ଏଭଳି କଥା ପଛରେ କୌଣସି ସତ୍ୟତା ନାହିଁ ବୋଲି ଫଡନାଭିସ୍ ଉତ୍ତର ରଖିଛନ୍ତି।

ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପରେ ବିଜେପି-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଦେଖାଯାଇଥିଲା। ଏହାପରେ ଶିବସେନା, ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ ନେଇ ଚେଷ୍ଟା ଚଳାଇଥିଲା।

ଏଭଳି ସମୟରେ ହଠାତ୍ ୨୩ ତାରିଖ ସକାଳୁ ଏନସିପି ନେତା ଅଜିତ୍ ପାୱାରଙ୍କ ସହ ମିଶି ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ହେବାର ୭୮ ଘଣ୍ଟା ପରେ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫା ପରେ ବର୍ତ୍ତମାନ ଶିବସେନା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ, ଏନସିପି ଓ କଂଗ୍ରେସ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛି।

Comment