ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଛି। ସୋମବାର କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ତିନି ରେଞ୍ଜର୍ ଡିଆଇଜିଙ୍କୁ ନେଇ ଏକ ବୈଠକ ବସିଛି।

ହାଇକୋର୍ଟ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଏସଆଇଟି ଦଦନ୍ତ ନିର୍ଦ୍ଦେଶ ଦେବା ପରେ ଏହା ଡିଆଇଜିମାନଙ୍କର ପ୍ରଥମ ବୈଠକ। ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଓ ହିମାଂଶୁ ଲାଲଙ୍କ ସହ ପୀଡ଼ିତାଙ୍କ ମାଆ, ଖୁଡ଼ି ଓ ଭାଇଙ୍କୁ ନେଇ ଏହି ବୈଠକ ବସିଛି।

ଏସ୍‌ଆଇଟି ଟିମ୍ ଆସନ୍ତା ଡିସେମ୍ବର ୧୬ ତାରିଖ ସୁଦ୍ଧା ତଦନ୍ତ ସାରି ନିଜର ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ କୁନ୍ଦୁଲି ମାମଲାର ଶୁଣାଣି ବେଳେ ହାଇକୋର୍ଟ କ୍ରାଇମବ୍ରାଞ୍ଚ୍ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାସହ ଏକ ମାସ ଭିତରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ ଲାଗି କିଛି ଅଧିକାରୀଙ୍କ ନାଁ ପ୍ରସ୍ତାବ ଦେବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନଭେମ୍ବର ୧୮ ତାରିଖରେ ହୋଇକୋର୍ଟ ଏହି ମାମଲାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗ୍ରାମପଞ୍ଚାୟତର ସୋରିଷପଦର ଜଙ୍ଗଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଯବାନମାନଙ୍କ ୟୁନିଫର୍ମରେ ୪ ଜଣ ବ୍ୟକ୍ତି ଏପରି କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଥିଲେ। ନବମ ଶ୍ରେଣୀରେ ପଢୁଥିବା ଏହି ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ନମିଳିବା କାରଣରୁ ୨୦୧୮ ଜାନୁଆରୀ ୨୨ ତାରିଖରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।

ପୀଡ଼ିତାଙ୍କ ଆତ୍ମହତ୍ୟା ପରେ  ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ସହ ବିଚାର ବିଭାଗୀୟ ତଦନ୍ତ କମିସନ ବସାଇଥିଲେ। ପରେ ଏହି ଘଟଣାକୁ ନେଇ ହାଇକୋର୍ଟରେ ୭ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୪ଟି ମାମଲା ପ୍ରତ୍ୟାହୃତ ହୋଇଯାଇଥିଲା ବେଳେ ଗୋଟିଏ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ବାକିଥିବା ଦୁଇଟି ମାମଲାର ଶୁଣାଣି କରି ହାଇକୋର୍ଟ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଏହି ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଛି।

Comment