ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ମୋବାଇଲ୍ ଆପରେ ଭିଡିଓ ମାଧ୍ୟମରେ ପାଠ ପଢ଼ିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ‘ମଧୁ ଆପ୍‌’। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ମଧୁ ଆପ୍’କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ସାହାଯ୍ୟରେ ଲୋକାର୍ପିତ କରିଛନ୍ତି।

ଏହି ଆପ୍‌ ଜରିଆରେ ଭର୍ଚୁଆଲ କ୍ଲାସ୍‌ ରୁମ୍‌ ଅନୁଭୂତି ପାଇପାରିବେ ଛାତ୍ରଛାତ୍ରୀ। ‘ମଧୁ ଆପ୍’ ସାହାଯ୍ୟରେ ପିଲାମାନେ ପାଠ ବୁଝିବା ସହ ବିଭିନ୍ନ ପ୍ରଶ୍ନର ଅଭ୍ୟାସ ମଧ୍ୟ କରିପାରିବେ। ମୋବାଇଲ୍ ଫୋନରେ ଭିଡିଓ ସବୁକୁ ଡାଇନଲୋଡ୍ କରି ପିଲାମାନେ ଘରେ ବସି ନିଜର ପାଠ ପଢ଼ିପାରିବେ।

ଛାତ୍ରଛାତ୍ରୀମାନେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ମଧୁ ଆପ୍‌କୁ ଡାଉନଲୋଡ କରିପାରିବେ। ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହା ସହାୟକ ହେବ।

ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀଙ୍କ ସହ ଏହି ଆପ୍ ବାବଦରେ କଥା ହୋଇଥିଲେ। ପିଲାମାନେ କିଭଳି ଭଲ ପାଠ ପଢ଼ି ଦେଶ ଓ ରାଜ୍ୟର ଗୌରବ ହୋଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ଏହି ଆପକୁ ଲଞ୍ଚ କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସ୍କୁଲ ଓ ଗଣଶିକ୍ଷା ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

Comment