ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ କ୍ରିକେଟ୍ ମ୍ୟାଚ୍ ପରିଚାଳନା ପାଇଁ ୪ଜଣ ଅମ୍ପାୟାର ରହିଥାନ୍ତି। ଏଥର ଆଇପିଏଲରେ ନୋ ବଲ୍ ଦେଖିବାକୁ ସ୍ୱତନ୍ତ୍ର ଅମ୍ପାୟାର ରହିବା ଦ୍ୱାରା ଏହା ୫କୁ ବୃଦ୍ଧି ପାଇବ।   

ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି ସବୁ ଦଳ। ଏହାସହ ବିସିସିଆଇ ମଧ୍ୟ ଟୁର୍ଣ୍ଣାମେଣ୍ଟକୁ ଭଲରେ ଆୟୋଜନ କରିବା ପାଇଁ ପୂରା ଚେଷ୍ଟା ଚଳାଇଛି। ସେଥିପାଇଁ ମ୍ୟାଚରେ ଫ୍ରଣ୍ଟ୍ ଫୁଟ୍ ନୋ ବଲ୍ ଦେଖିବାକୁ ଜଣେ ସ୍ୱତନ୍ତ୍ର ଅମ୍ପାୟାର ରଖିବାକୁ ଯୋଜନା କରାଯାଉଛି।

ମୁମ୍ବାଇରେ ବସିଥିବା ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏନେଇ ସଭାପତି ସୌରଭ ଗାଙ୍ଗୁଲି ଆଲୋଚନା କରିଛନ୍ତି। ଫଳରେ ଆଗାମୀ ଆଇପିଏଲରେ ମୋଟ୍ ୫ ଜଣ ଅମ୍ପାୟାର ଦେଖିବାକୁ ମିଳିପାରନ୍ତି। ପୂର୍ବରୁ ପ୍ରତିମ୍ୟାଚରେ ମୋଟ୍ ୪ଜଣ ଅମ୍ପାୟାର ରହୁଥିବା ଦେଖିବାକୁ ମିଳୁଥିଲା। ଦୁଇଜଣ ଅମ୍ପାୟାର ଫିଲ୍ଡରେ ଖେଳ ପରିଚାଳନା କରୁଥିବା ବେଳେ, ତୃତୀୟ ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କୁ ସାହାଯ୍ୟ କରିଥାନ୍ତି। ସେହିପରି ଚତୁର୍ଥ ଅମ୍ପାୟାର ମ୍ୟାଚ ପରିଚାଳନାରେ ସହଯୋଗ କରିଥାନ୍ତି।

ଆଗାମୀ ଆଇପିଏଲରେ ନୋ ବଲ୍ ଉପରେ ନଜର ରଖିବା ପାଇଁ ଆଉ ଜଣେ ଅମ୍ପାୟାର ନିଯୁକ୍ତ ହେଲେ ମୋଟ୍ ୫ ଜଣ ଅମ୍ପାୟାର ଆଇପିଏଲରେ ଖେଳ ପରିଚାଳନା କରିବେ। ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି।

Comment