ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦୀ ସରକାର ନାଗରିକତା ସଂଶୋଧନ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହି ନାଗରିକତା ସଂଶୋଧନ ବିଲ୍‌ କ’ଣ,  କାହିଁକି ହେଉଛି ଏହାର ବିରୋଧ? ଜାଣନ୍ତୁ ପୂରା କଥା।

ନାଗରିକତା ସଂଶୋଧନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଏବେ ଏହାକୁ ସଂସଦରେ ଆଗତ କରାଯିବ। ଆସନ୍ତା ସପ୍ତାହରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରାଯିବ। ଏହାପରେ ବିଲ୍‌ ରାଜ୍ୟସଭାରେ ଆଗତ ହେବ।

ନାଗରିକତା ଆଇନ ପରେ ସରକାର ଏନଆରସିକୁ ସାରା ଦେଶରେ ଲାଗୁ କରିବା ଉପରେ ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ ବିରୋଧୀ ଏହି ବିଲ୍‌ ବିରୋଧରେ ଅଛନ୍ତି।

ନାଗରିକତା ସଂଶୋଧନ ବିଲ୍‌ କ’ଣ?

ମୋଦୀ ସରକାର ନାଗରିକତା ସଂଶୋଧନ ବିଲ୍‌ ଆଣିବାକୁ ଯାଉଛନ୍ତି। ଏହି ବିଲ୍‌ ନାଗରିକତା ଅଧିନିୟମ ୧୯୫୫ରେ ପରିବର୍ତ୍ତନ କରିବ।

ଏହି ନାଗରିକତା ସଂଶୋଧନ ବିଲ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଭାରତ ଆସିଥିବେ ସେମାନଙ୍କୁ ଭରତୀୟ ନାଗରିକତା ମିଳିବ। ଏଥିପାଇଁ ସେମାନଙ୍କୁ ଭାରତରେ ୬ ବର୍ଷ ରହିବାକୁ ପଡ଼ିବ। ପୂର୍ବରୁ ୧୧ ବର୍ଷରୁ ଅଧିକ ଦିନ ରହିଥିଲେ ନାଗରିକତା ମିଳୁଥିଲା।

କାହିଁକି ହେଉଛି ବିରୋଧ?

ଏହି ବିଲକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି। ବିରୋଧର ମୁଖ୍ୟ କାରଣ ହେଉଛି ଧର୍ମ। ନୂଆ ସଂଶୋଧନ ବିଲରେ ମୁସଲିମଙ୍କୁ ଛାଡ଼ି ଅନ୍ୟ ସମସ୍ତ ଧର୍ମର ଲୋକଙ୍କୁ ସହଜରେ ନାଗରିକତା ଦେବାକୁ ନିଷ୍ପତ୍ତି ହୋଇଛି। ବିରୋଧୀ ଏହାକୁ ବିରୋଧ କରୁଛନ୍ତି। ମୋଦୀ ସରକାର ଧର୍ମ ଆଧାରରେ ନିଷ୍ପତ୍ତି ନେଉଥିବା ବିରୋଧୀ କହୁଛନ୍ତି।

Comment