ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘କାଳିଆ’ ଯୋଜନାକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ୍‌ ଯୋଜନା ସହିତ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯିବ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇଛି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମନ୍ତବ୍ୟ।

ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘‘କାଳିଆ ଓ ପିଏମ୍‌ କିଷାନ୍‌ ଯୋଜନା ମିଶିବାରେ କୌଣସି ଅପ୍ରାସଙ୍ଗିକତା ନାହିଁ। ଦୁଇଟି ଯୋଜନା ଏକାଠି ହୋଇଗଲେ ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆସିବ। ଅଧିକ ସଂଖ୍ୟକ ହିତାଧିକାରୀ ଲାଭବାନ ହେବେ। ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ।’’

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କୃଷକଙ୍କ କଲ୍ୟାଣ ପାଇଁ ‘କାଳିଆ’ ଯୋଜନା ଶୁଭାରମ୍ଭ କରିଥିଲେ। ବର୍ଷକୁ ଚାରିଟି କିସ୍ତିରେ ୨୦ ହଜାର ଟଙ୍କା ନାମକୁ ମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଦେବାକୁ ଘୋଷଣା କରିଥିଲେ। ନିର୍ବାଚନ ପୂର୍ବରୁ ସରକାର କିଛି ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇଥିବା ବେଳେ ଆଉ କିଛି ଚାଷୀଙ୍କୁ ନୂଆ ସରକାର ଗଠନ ହେଉ ହେଉ ଦେଇଥିଲେ।

ଏହାପରେ କାଳିଆ ଯୋଜନା ଗୋଳିଆ ହୋଇଯାଇଥିଲା। ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇ ଯାଇଥିବାରୁ ସରକାର ତନାଘନା କଲେ। ଅଯୋଗ୍ୟ ହିତାଧିକାରୀ ବାଛିଲେ। ଟଙ୍କା ଫେରାଇବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ କହିଲେ। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଲା।

ଠିକ୍‌ ସେହିପରି କାଳିଆ ଯୋଜନା ଶୁଭାରମ୍ଭ ହେବାର କିଛି ଦିନ ପରେ କେନ୍ଦ୍ର ସରକାର ପିଏମ୍‌ କିଷାନ୍‌ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଚାଷୀଙ୍କ ତାଲିକା ମାଗିଥିଲେ। ହେଲେ ରାଜ୍ୟ ସରକାର ଠିକ୍‌ ସମୟରେ ଚାଷୀଙ୍କ ତାଲିକା ଦେଇ ନପାରିବାରୁ ବିଜେପି ବିଜେଡିକୁ ଟାର୍ଗେଟ କରିଥିଲା। କେନ୍ଦ୍ର ସରକାରଙ୍କ ‘ପିଏମ୍‌ କିଷାନ୍‌’ ଏବଂ ରାଜ୍ୟ ସରକାରଙ୍କ ‘କାଳିଆ’କୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଲା।

ଏବେ ଏହି ଦୁଇ ଯୋଜନା ମିଶିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ନେଇ ରାଜନୀତି ପାଣିପାଗ ପୁଣି ଗରମ ହୋଇଛି। ଗୋଟିଏପଟେ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରୁ ନଥିବା ବେଳେ ପିଏମ୍‌ କିଷାନ୍‌ ସହ କାଳିଆ କେମିତି ମିଶିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment