ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତୀୟ ରାଜନୀତିରେ ‘ପିଆଜ’ର ବଡ଼ ପ୍ରଭାବ ରହିଛି। ପିଆଜ ଦର ଯେତେବେଳେ ରେକର୍ଡ ଭାଙ୍ଗିଛି ସେତେବେଳେ ରାଜନୀତି ତେଜିଛି।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ପିଆଜ ଚୋପା ଛଡ଼େଇଲେ ଆଖିରେ ପାଣି ଆସିଯାଏ। ଯେ କୌଣସି ତରକାରୀରେ ମଧ୍ୟ ପିଆଜର ସିଂହଭାଗ ରହିଥାଏ। ହେଲେ ଏବେ ପିଆଜ ଦର ସେଞ୍ଚୁରି ପାର୍‌ କରିଥିବାରୁ ନା ଚୋପା ଛଡ଼େଇ ହେଉଛି ନା ତରକାରୀରେ ପଡ଼ି ପାରୁଛି। ପିଆଜ ଦର ହୁ ହୁ ହୋଇ ବଢୁଥିବାରୁ ରାଜନୀତି ବଜାରରେ ନିଆଁ ଲାଗିଛି। ପିଆଜକୁ ନେଇ ଭାରତୀୟ ରାଜନୀତି ସବୁବେଳେ ଗରମ ରହି ଆସିଛି।

ଏହି ପିଆଜ ପାଇଁ କିଏ ସରକାରକୁ ଫେରିଛି ତ କିଏ ସରକାରରୁ ଯାଇଛି। ଅଶୀ ଦଶକରୁ ବର୍ତ୍ତମାନ ଯାଏଁ ପିଆଜ ସବୁବେଳେ ରାଜନୀତି ବଜାରକୁ ସରଗରମ କରିଛି। ଏହି ପିଆଜ ପାଇଁ ଇନ୍ଦିରା ଗାନ୍ଧୀ ସରକାରକୁ ଆସିଥିଲେ। ପୁଣି ସେହି ପିଆଜ ପାଇଁ କଂଗ୍ରେସ କ୍ଷମତାରୁ ଯାଇଛି। ଏବେ ପୁଣି ଥରେ ପିଆଜ ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଥିବାରୁ ରାଜନୀତି ଜୋର୍‌ ଧରିଛି।

୧୯୮୦ର ‘ଓନିଅନ ପଲିଟିକ୍ସ’ – କ୍ଷମତାକୁ ଆସିଲେ ଇନ୍ଦିରା

୧୯୭୫ର ଜରୁରିକାଳୀନ ପରିସ୍ଥିତି ପରେ ୧୯୭୭ରେ ଭାରତରେ ହୋଇଥିଲା ନିର୍ବାଚନ। ହେଲେ ଏହି ନିର୍ବାଚନରେ ଆଇରନ୍‌ ଲେଡି ଇନ୍ଦିରା ଗାନ୍ଧୀ ବୁଦ୍ଧି ଶିଖିଥିଲେ। ଜନତା ପାର୍ଟିଠାରୁ କଂଗ୍ରେସ ପରାଜିତ ହୋଇଥିଲା। ଇନ୍ଦିରା ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ନିର୍ବାଚନରେ ପରାଜିତ ହୋଇଥିଲେ। ଜନତା ପାର୍ଟି ନେତା ମୋରାଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ବିରୋଧୀ ଆସନରେ ବସିଥିଲେ ଇନ୍ଦିରା। ହେଲେ ୧୯୮୦ ନିର୍ବାଚନରେ କେମିତି କ୍ଷମତାକୁ ଆସିବେ ତାକୁ ନେଇ ଇନ୍ଦିରା ରୀତିମତ ରଣନୀତି ପ୍ରସ୍ତୁତ କରୁଥିଲେ।

୧୯୮୦ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିଲା। ୧୯୭୯ରେ ମୋରାଜୀ ଦେଶାଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚୌଧୁରୀ ଚରଣ ସିଂହ ହୋଇଥିଲେ ପ୍ରଧାନମନ୍ତ୍ରୀ। ହେଲେ ନିର୍ବାଚନ ପୂର୍ବରୁ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ସାଧାରଣ ଲୋକଙ୍କ ପକେଟକୁ ମାଡ଼ କରିଥିଲା। ବିଶେଷକରି ପିଆଜ ଦର ଆକାଶଛୁଆଁ ହୋଇଥିଲା।

୧୯୮୦ ନିର୍ବାଚନ ପ୍ରଚାରରେ ଇନ୍ଦିରା ‘ପିଆଜ’କୁ ଅସ୍ତ୍ର କରିଥିଲେ। ଯୁଆଡ଼େ ଗଲେ ସିଆଡ଼େ ଜନତା ପାର୍ଟି ସରକାରର ବିଫଳତା ବଖାଣିଲେ। ପିଆଜ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଗଲେ। ଶେଷରେ ଏହାର ପ୍ରଭାବ ପଡ଼ିଲା। ଇନ୍ଦିରା ପୁଣି କ୍ଷମତାକୁ ଆସିଲେ। ପିଆଜକୁ ନେଇ ସେତେବେଳେ ନିର୍ବାଚନୀ ମଇଦାନକୁ ଇନ୍ଦିରା ସରଗରମ କରିଥିବାରୁ ରାଜନୀତି ପର୍ଯ୍ୟବେକ୍ଷକ ଏହାକୁ ‘ଓନିଅନ ପଲିଟିକ୍ସ’ କହିବାକୁ ପଛାଇ ନଥିଲେ।

ପିଆଜକୁ ଆଧାର କରି ଇନ୍ଦିରା ସରକାରକୁ ଆସିଥିଲେ। ୧୯୮୧ରେ ପିଆଜ କିଲୋ ୧ ଟଙ୍କାରେ ବିକ୍ରି ହୋଇଥିଲା। ହେଲେ ୧୯୮୬ ବେଳକୁ ଦର ୬ ଟଙ୍କା ହୋଇଗଲା। ଏହାକୁ ବିରୋଧୀ ଅସ୍ତ୍ର କରିଥିଲେ।

୧୯୯୮ – ଦିଲ୍ଲୀରେ ସରକାରରୁ ଯାଇଥିଲା ବିଜେପି

୧୮ ବର୍ଷ ପରେ ପୁଣି ପିଆଜ ବଜାରରେ ନିଆଁ ଲାଗିଲା। ୧୯୯୮ରେ ପିଆଜ ଦର ମହଙ୍ଗା ହେଲା। କିଲୋ ୬୦ଟଙ୍କାରେ ପହଞ୍ଚିଥିଲା। ସେତେବେଳେ କେନ୍ଦ୍ରରେ ବାଜପେୟୀଙ୍କ ସରକାର ରହିଥିଲା। ଦର ନିୟନ୍ତ୍ରଣ କରିବା ସମ୍ଭବ ହେଲାନି। ସେହି ସମୟରେ ଦିଲ୍ଲୀ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଥାଏ। ଦିଲ୍ଲୀରେ ଚାଲିଥାଏ ବିଜେପି ସରକାର।

କୌଣସି କାରଣରୁ ବିଜେପିର ସାହେବ ସିଂହ ବର୍ମା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସୁଷମା ସ୍ୱରାଜ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ହେଲେ ପିଆଜ ଦର ବେଲଗାମ୍‌ ହୋଇଯିବାରୁ ସୁଷମା ସରକାର ଦିଲ୍ଲୀରେ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲା। ଫଳରେ ୧୯୯୮ରେ ପିଆଜ ପାଇଁ ବିଜେପି ସରକାର କ୍ଷମତାରୁ ଚାଲି ଯାଇଥିଲା। କଂଗ୍ରେସର ଶୀଲା ଦୀକ୍ଷିତ ଦିଲ୍ଲୀ ମଙ୍ଗ ଧରିଥିଲେ।

ଏହି ସମୟ ଦୀପାବଳିର ଅବସର ଥିବାରୁ କିଛି କଂଗ୍ରେସ ନେତା ମିଠା ପ୍ୟାକେଟରେ ପିଆଜ ଉପହାର ପଠାଇଥିଲେ।

ପିଆଜ ପାଇଁ ମନମୋହନ ସରକାର ହଟହଟା

୨୦୧୦ରେ ପିଆଜ ସର୍ବକାଳୀନ ରେକର୍ଡ ଭାଙ୍ଗିଲା। ଅଦିନିଆ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଫସଲ ଉଜୁଡ଼ି ଗଲା। ଫଳରେ ପିଆଜ ଉତ୍ପାଦନ ହୋଇପାରିଲା ନାହିଁ। ସେହି ବର୍ଷ ପିଆଜ କିଲୋ ୯୦ ଟଙ୍କା ଛୁଇଁଲା। ପିଆଜ ଦର ରେକର୍ଡ ଭାଙ୍ଗିବାରୁ କ୍ଷମତାରେ ଥିବା ମନମୋହନ ସିଂହଙ୍କ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିଲେ।

ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ସେତେବେଳେ ପଦକ୍ଷେପ ନେଇଥିଲେ। ରପ୍ତାନି ବନ୍ଦ କରିବା ସହ ଆମଦାନୀ ଶୁଳ୍କ କୋହଳ କଲେ। ପାକିସ୍ତାନରୁ ପିଆଜ ଆମଦାନୀ କରିଥିଲେ। କିଛି ମାସର ହଟଚମଟ ପରେ ପିଆଜ ୬୦ ଟଙ୍କାକୁ ଖସିଥିଲା। ଏହାକୁ ସେତେବେଳେ ବିଜେପି ଜୋରଦାର ବିରୋଧ କରିଥିଲା।

୨୦୧୩ରେ ବି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବଢ଼ିଥିଲା। ବିଶେଷକରି ପିଆଜ ଦର ବେଲଗାମ୍ ହୋଇଥିଲା। ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହେବାରୁ ଏହାକୁ ଅସ୍ତ୍ର କରିଥିଲା ବିଜେପି। ଉପ ସରକାରର ବିଫଳତା ଅସ୍ତ୍ର କରି ବିଜେପି ୨୦୧୪ ନିର୍ବାଚନ ଲଢ଼ିଥିଲା। ୨୦୧୪ ନିର୍ବାଚନରେ ଉପା କ୍ଷମତାରୁ ଯାଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଆସିଥିଲା।

ଏବେ ପୁଣି ରାଜନୀତିରେ ପିଆଜ

କଂଗ୍ରେସ କ୍ଷମତାରୁ ଯିବା ପରେ ବିଜେପି ୨୦୧୪ରେ ସରକାରକୁ ଆସିଲା। ନରେନ୍ଦ୍ର ମୋଦୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ପ୍ରଥମ ପାଳି ସରକାର ସୁରୁଖୁରୁରେ ଶେଷ ହୋଇଗଲା। ଏବେ ଦ୍ୱିତୀୟ ପାଳି ସରକାର ଆରମ୍ଭରୁ ପିଆଜ ଦର ରେକର୍ଡ ଭାଙ୍ଗିଛି। ମହାରାଷ୍ଟ୍ର, ତେଲେଙ୍ଗାନାରେ ଅଦିନିଆ ବର୍ଷା ଯୋଗୁଁ ପିଆଜ ଅମଳ ବାଧାପ୍ରାପ୍ତ ହୋଇଛି। ଫଳରେ ପିଆଜ ବଜାରରେ ନିଆଁ ଲାଗିଛି। ପିଆଜ ଦର ୧୨୦ ଛୁଇଁଥିବାରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ମୋଦୀ ସରକାରଙ୍କୁ ଘେରିଛନ୍ତି।

ଆମ ଆଦମୀ ପାର୍ଟି ସାଂସଦ ପିଆଜ ମାଳ ପିନ୍ଧି ସଂସଦ ଆସିଥିବା ବେଳେ କଂଗ୍ରେସ ମଧ୍ୟ ମୋଦୀ ସରକାରଙ୍କୁ ଘେରିଛି। ଓଡ଼ିଶାରେ କଂଗ୍ରେସ ନେତା କିଲୋ ୪୦ ଟଙ୍କାରେ ପିଆଜ ବିକି ପ୍ରତିବାଦ କରିଥିଲେ।

Comment