ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁସିସିଆଇ ଲେଡିଜ୍‌ ଫୋରମ୍‌ ପକ୍ଷରୁ ମାଗଣାରେ ହେବ କର୍କଟ ରୋଗ ପରୀକ୍ଷା।
  • କଟକସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ୍‌ସର ସେଣ୍ଟରରେ ହେବ ପରୀକ୍ଷା।
  • ଶନିବାର ଦିନ ୯ଟା ୩୦ରୁ ଗୋଟେ ପର୍ଯ୍ୟନ୍ତ ପରୀକ୍ଷା କରାଯିବ।
  • ଆଚାର୍ଯ୍ୟ ହରିହରର କର୍କଟ ବିଶେଷଜ୍ଞମାନେ କରିବେ ପରୀକ୍ଷା।

ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଲେଡିଜ୍ ଫୋରମ୍ ପକ୍ଷରୁ ଗରିବଶ୍ରେଣୀର ଲୋକମାନଙ୍କ ପାଇଁ ଶନିବାର ମାଗଣାରେ କର୍କଟ ରୋଗ ପରୀକ୍ଷା କରାଯିବ। ଏହି ଶିବିରରେ ବ୍ରେଷ୍ଟ କ୍ୟାନ୍‌ସର, ସର୍ଭାଇକାଲ କ୍ୟାନ୍‌ସର ଏବଂ ମୁଖ କକର୍ଟ ଉପରେ ପରୀକ୍ଷା କରାଯିବ।

ଏହି ପରୀକ୍ଷା ଶନିବାର କଟକସ୍ଥିତ ଆଚାର୍ଯ୍ୟହରିହର ରିଜିଓନାଲ କ୍ୟାନ୍‌ସର ସେଣ୍ଟରରେ କରାଯିବ। ଆଚାର୍ଯ୍ୟହରିହର ରିଜିଓନାଲ କ୍ୟାନ୍‌ସର ସେଣ୍ଟର ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଲେଡିଜ୍ ଫୋରମର ମିଳିତ ଆନିକୁଲ୍ୟରେ ଦିନ ୯ଟା ୩୦ରୁ ୧ଟା ପର୍ଯ୍ୟନ୍ତ କର୍କଟ ବିଭାଗର କର୍କଟ ବିଶେଷଜ୍ଞଙ୍କଠାରୁ ଲୋକେମାନେ ମାଗଣାରେ କର୍କଟ ରୋଗ ପରୀକ୍ଷା କରାଇପାରିବେ।

ଉତ୍କଳ ଚାମ୍ବରର ସେକ୍ରେଟାରୀ ଡକ୍ଟର ଭାରତୀ ବେହେରା କହିଛନ୍ତି, ‘‘ଆମର ଫୋକସ ହେଉଛି ଗରିବଶ୍ରେଣୀର ଲୋକଙ୍କୁ କର୍କଟ ରୋଗ ସମ୍ପର୍କରେ ସଚେତନ କରିବା। କିଛି ଲୋକ ଭାବୁଛନ୍ତି ଯେ, ସେମାନେ କର୍କଟରେ ପୀଡ଼ିତ ନାହାନ୍ତି, ତ ସେମାନେ କାହିଁକି ପରୀକ୍ଷା କରାଇବେ। କିନ୍ତୁ, ଆମେ କହି ରଖୁଛୁ ଯେ, କର୍କଟ ପରୀକ୍ଷା କରାଇନେବା ଉଚିତ୍‌। ଯଦି ଶରୀରରେ କର୍କଟ ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ମୂଳରୁ କରାଇନେଲେ ରିସ୍କ କମ୍‌ ରହିଥାଏ।’’

ଡକ୍ଟର ଭାରତୀ ଆହୁରି ମଧ୍ୟ କହିଛନ୍ତି, ‘‘ଆଜିକାଲିର ଲୋକମାନଙ୍କର ଲାଇଫଷ୍ଟାଇଲ୍‌ ଲାଗି କ୍ୟାନ୍‌ସର ଅଧିକ ହେଉଛି। ଏଥିପାଇଁ ଲୋକଙ୍କୁ ସଚେତନ ହେବା ଆବଶ୍ୟକ। ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ, ଘରୋଇ ଖାଦ୍ୟ, ବିନା ତେଲ ମସଲାଯୁକ୍ତ, ରଙ୍ଗ ନ ବ୍ୟବହାର ହେଉଥିବା ଖାଦ୍ୟ ସେବନ କରିବା ଉଚିତ୍‌। ପ୍ଲାଷ୍ଟିକ୍‌କୁ ଯେତେ ସମ୍ଭବ ବର୍ଜନ କରିବା ଆବଶ୍ୟକ। କାରଣ ପ୍ଲାଷ୍ଟିକ୍‌ରେ କ୍ୟାନ୍‌ସର ସୃଷ୍ଟି କରୁଥିବା ଜୀବାଣୁ ଉପସ୍ଥିତ ଥାଏ। ଏଥିପାଇଁ ପ୍ରତ୍ୟେକ ଲୋକ ୬ମାସକୁ ଥରେ କର୍କଟ ସମ୍ପର୍କିତ ପରୀକ୍ଷା କରିନେବା ଉଚିତ୍‌।’’

ଉତ୍କଳ ଚାମ୍ବର ଲେଡିଜ୍‌ ଫୋରମ୍‌ର ସଭାପତି ଡକ୍ଟର ଗୀତା ପାଢ଼ୀଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ କରାଯିବ। ଏହି କ୍ୟାମ୍ପରେ ୟୁସିସିଆଇ ଲେଡିଜ୍‌ ଫୋରମ୍‌ର ସମସ୍ତ ସଦସ୍ୟ ଏବଂ ଆଚାର୍ଯ୍ୟ ହରିହର ସେଣ୍ଟରର ଡାକ୍ତରମାନେ ଉପସ୍ଥିତ ରହିବେ।

Comment