ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକ ସଂଶୋଧନ ବିଲକୁ ବିଜେଡିର ସମର୍ଥନ ପରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ।

ଲୋକସଭାରେ ଆଗତ ହୋଇଥିବା ନାଗରିକ ସଂଶୋଧନ ବିଲକୁ ସମର୍ଥନ କରିଛି ବିଜେଡି। ସୋମବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଗରିକ ସଂଶୋଧନ ବିଲ ଆଗତ କରିଥିଲେ, ଯାହାକୁ ବିଜେଡି ସାଂସଦମାନେ ସମର୍ଥନ କରିଛନ୍ତି।

ଏହି ବିଲରେ ରାଜ୍ୟର ସ୍ୱାର୍ଥ ପ୍ରତି କୌଣସି ପ୍ରକାର ଅସୁବିଧା ନାହିଁ, ତେଣୁ ଏହି ବିଲକୁ ବିଜେଡି ସମର୍ଥନ କରିଥିବା କୁହାଯାଉଛି।

ଅନ୍ୟପଟେ ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି-ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇ ଦଳ ଭିତରେ ମଧୁଚନ୍ଦ୍ରିକା ରହିଛି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ବିଜେପିର ସମସ୍ତ କାର୍ଯ୍ୟରେ ବିଜେଡି ଜାଣିଶୁଣି ସହଯୋଗ କରୁଛି ବୋଲି ନିରଞ୍ଜନ କହିଛନ୍ତି।

ଏହାର ଜବାବ ଦେଇ ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ବିଜେଡି ଗୋଟିଏ ଆଞ୍ଚଳିକ ଦଳ। ତେଣୁ ରାଜ୍ୟର ସ୍ୱାର୍ଥ ପାଇଁ ଆମେ କେନ୍ଦ୍ର ସହ ହାତ ମିଳାଇଛୁ। ଆମ ଭିତରେ କୌଣସି ବୁଝାମଣା ହୋଇନାହିଁ।

Comment