ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଗୁଣି ଗାରେଡ଼ିକୁ ସନ୍ଦେହ କରି ରାତି ଅଧରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ଶନିବାର ରାତିରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଘଟିଛି। ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ଷେ ତଳେ ବିଶୋଇ ଥାନା ‘ତଲଖବଦି’ ଗାଁର ଗୋବିନ୍ଦ ହେମ୍ୱ୍ରମଙ୍କ ଭାଇ ରୁପାୟଙ୍କ ପୁଅ ଠାକୁର(୧୭)ର ମୃତ୍ୟୁ ହୋଇଥିଲା। ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଗୁଣିଗାରେଡି କରିଥିବାରୁ ଠାକୁରର ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିଲେ ରୁପାୟ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ରୁପାୟ।

ଶନିବାର  ରାତିରେ ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଖାଇପିଇ ଘରେ ଶୋଇଥିଲେ। ଏହି ସମୟରେ ରୁପାୟ ଚାଳ ଛପର ଫାଙ୍କରେ ଏକ ପିସ୍ତଲରେ ଫାୟାରିଂ କରିଥିଲେ। ଫଳରେ ଗୁଳି ମାଇନ୍‌ଙ୍କ ମୁଣ୍ଡରେ ବାଜିଥିଲା। ଏହା ପରେ ପୂରା ପରିବାର ଉଠି ପଡ଼ିଥିଲେ। ହୋ-ହଲ୍ଲା ଶବ୍ଦ ଶୁଣି ସାହି ପଡ଼ିଶା ଉଠିପଡ଼ି ରୁପାୟକୁ କାବୁ କରି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ବିଶୋଇ ପୋଲିସ ଏହି ମାମଲାରେ ରୁପାୟକୁ ଅଟକ ରଖି ପଚରାଉଚରା କରୁଛି।

ଆଜି ସକାଳେ ମାଇନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ୍‌କୁ ସୋମବାର ସ୍ଥାନାନ୍ତରିତ କରାଯାଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

Comment