ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ନାଗରିକତା ସଂଶୋଧନ ବିଲ୍‌। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ଏବଂ ଏନ୍‌ସିଆର୍‌ ଲାଗୁ ହେବ ନାହିଁ ବୋଲି ମମତା ରୋକ୍‌ଠୋକ୍‌ କହିଛନ୍ତି।

‘‘ଏନ୍‌ସିଆର୍‌ ଏବଂ ସିଏବି ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହି ଆଇନ୍‌ ଲାଗୁ ହେଲେ ରାଜ୍ୟରେ ବିଭାଜନ ହେବାର ଆଶଙ୍କା ରହିଛି। ମୋଦୀ ସରକାର ଡିଭାଇଡ୍‌ ଆଣ୍ଡ ରୁଲ ପଲିସି ଲାଗୁ କରୁଛନ୍ତି। ତୃଣମୂଳ କଂଗ୍ରେସ କ୍ଷମତାରେ ଥିବା ଯାଏଁ ପଶ୍ଚିମବଙ୍ଗରେ ଏହି ନିୟମ ଲାଗୁ ହେବ ନାହିଁ’’, କହିଛନ୍ତି ମମତା ବାନାର୍ଜୀ।

ଧର୍ମ ଏବଂ ଜାତିକୁ ନେଇ କିଛି ଲୋକ ରାଜନୀତି କରୁଛନ୍ତି। ସେମାନଙ୍କ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ଏଭଳି ନିୟମ ଲାଗୁ କରୁଛନ୍ତି। ହେଲେ ଏହାକୁ ପଶ୍ଚିମବଙ୍ଗରେ ଲାଗୁ କରାଇବାକୁ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି।

ଗତ ୯ ତାରିଖରେ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ପରେ ଆଜି ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହୋଇଛି। ଏହି ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ଭାରତରେ ଅଶାନ୍ତି ଦେଖାଦେଇଛି। ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସର୍ଭିସ୍‌ ବନ୍ଦ କରାଯାଇଛି। ସେହିପରି କର୍ଫ୍ୟୁ ମଧ୍ୟ ଆସାମର କିଛି ସ୍ଥାନରେ ଲାଗୁ ହୋଇଛି।

Comment