ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଏସ୍‌ବିଆଇ ବ୍ୟାଙ୍କ୍‌ ଖାତାରୁ ୧୦ ଲକ୍ଷ ଟଙ୍କା ଗାଏବ ଅଭିଯୋଗ। ଜମାକାରୀଙ୍କ ନାଁରେ ଚେକ୍‌ବୁକ୍‌ ନଥିଲେ ମଧ୍ୟ ଚେକ୍‌ ଜରିଆରେ ଦୁର୍ବୃତ୍ତ ୧୦ଲକ୍ଷ ଟଙ୍କା ଉଠାଇ ନେଇଥିବା ଘଟଣା ତାଙ୍କୁ ଚକିତ କରିଛି। ଏଭଳି ଠକାମୀର ଶିକାର ହୋଇ ବାରିପଦା ଟାଉନ୍‌ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଜଣେ ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ।

ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ  ୱାର୍ଡ ନଂ-୨୦ରେ ବାସ କରୁଥିବା ଶାନ୍ତି ମୁଖୀ ସ୍ଥାନୀୟ ମହିଳା ତକତପୁର ଏସ୍‌ବିଆଇ ଶାଖାରେ ନିଜର ଆକାଉଣ୍ଟ୍‌ ଖୋଲିଥିଲେ। ଅବସରପରେ ମିଳିଥିବା ଅର୍ଥକୁ ସେ ସେହି ଶାଖାରେ ଥିବା ନିଜର ଆକାଉଣ୍ଟ୍‌ ନମ୍ବରରେ ଜମା ରଖୁଥିଲେ। ମାତ୍ର ଚଳିତ ମାସ ୧୦ରେ ନିଜର ବ୍ୟାଙ୍କ୍‌ ଖାତାକୁ ଅପଡେଟ୍‌ କରି ପ୍ରିଣ୍ଟ୍‌ କରିବାରୁ ସେଥିରୁ ଚଳିତ ବର୍ଷ ଜୁନ୍‌ ୧୨ରେ ଏକ ଚେକ୍‌ ଜରିଆରେ ୧୦ଲକ୍ଷ ଟଙ୍କା ଉଠାଣ ହୋଇଥିବା ଦେଖିବାକୁ ପାଇଥିଲେ।

ଶାନ୍ତିଲତାଙ୍କ ଦସ୍ତଖତକୁ ଜାଲ୍‌ କରି କେହି ଚେକ୍‌ ମାଧ୍ୟମରେ ଟଙ୍କା ଉଠାଇଥିବା ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ତେବେ ବ୍ୟାଙ୍କରୁ ଆଦୌ ଚେକ୍‌ବୁକ ନେଇନଥିବା ଶାନ୍ତି ମୁଖୀ କହିଛନ୍ତି। ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗରେ କେହି ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ଶାନ୍ତି ମୁଖୀ ଅଭିଯୋଗ କରିଛନ୍ତି।

ବ୍ୟାଙ୍କର ସିସିଟିଭି ଯାଞ୍ଚ ସହିତ ଏନେଇ ତଦନ୍ତ ପରେ ଏବିଷୟରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ତକତପୁର ଶାଖା ଏସ୍‌ବିଆଇ ଚିଫ୍‌ ମ୍ୟାନେଜର୍‌ ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ତେବେ ଏସ୍‌ବିଆଇ ଭଳି ଏକ ନିର୍ଭରଯୋଗ୍ୟ ବ୍ୟାଙ୍କରୁ ବିନା କୌଣସି କାଗଜପତ୍ର ଯାଞ୍ଚ କିମ୍ବା ତଥ୍ୟ ‌ପରୀକ୍ଷା ନକରି ଏପରି ଢଙ୍ଗରେ ଟଙ୍କା ଦେଇଦେବାକୁ ବିରୋଧ କରିଛନ୍ତି ଶାନ୍ତି ମୁଖୀଙ୍କ ପୁଅ। ଏନେଇ ବାରିପଦା ଟାଉନ୍‌ ଥାନାରେ ଶାନ୍ତି ମୁଖୀ ଅଭିଯୋଗ କରିଛନ୍ତି।

Comment