ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ବିଲ୍‌କୁ ବିରୋଧ କରି ଆସାମରେ ହିଂସାକାଣ୍ଡ ଥମିବାର ନାଁ ଧରୁନି। ଲୋକେ ହନ୍ତସନ୍ତ।

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିରୋଧ ଥମୁନି। ଉତ୍ତର ପୂର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧର ଜୋରଦାର ଚାଲିଥିବା ବେଳେ ଗୌହାଟୀ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ଫସିଛନ୍ତି। ଗୁରୁବାର ରାତିରୁ ବିମାନ ବାତିଲ ହୋଇଥିବାରୁ ଯାତ୍ରୀମାନେ ବିମାନ ବନ୍ଦରରେ ରହିଛନ୍ତି। ଏପଟେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ଘରକୁ ବି ଫେରି ପାରୁ ନାହାନ୍ତି।

‘‘ମୁଁ ମୁମ୍ବାଇରୁ ଆସିଛି। ମେଘାଳୟ ଯିବା ପାଇଁ ଗୌହାଟୀ ବିମାନ ବନ୍ଦରରେ ଓହ୍ଲାଇଥିଲି। ହେଲେ ଗାଡ଼ି ଚଳାଚଳ କରୁ ନଥିବାରୁ ମୁଁ ଏହି ବିମାନ ବନ୍ଦରରେ ରହିଛି। ମେଘାଳୟ ଯାଇ ପାରୁନି’’, କହିଛନ୍ତି ଜଣେ ଯାତ୍ରୀ ସଞ୍ଜୟ।

ବିଶେଷକରି ଛୋଟ ପିଲାମାନେ କଲବଲ ହେଉଛନ୍ତି। ଦୋକାନ ବଜାର ବନ୍ଦ ଥିବାରୁ ପିଲାମାନଙ୍କ ପାଇଁ କ୍ଷୀର ବି ମିଳୁନି। ଏପଟେ ରାସ୍ତାରେ ଗାଡ଼ି ନେଇ ଯିବାକୁ ଗାଡ଼ି ଚାଳକମାନେ ଭୟ କରୁଛନ୍ତି। ରାସ୍ତାରେ ଯେମିତି ହିଂସାକାଣ୍ଡ ହେଉଛି ସେହି ଭୟରେ ଗାଡ଼ି ଚାଳକ ଗାଡ଼ି ନେବାକୁ ରାଜି ହେଉ ନାହାନ୍ତି।

ଗୌହାଟୀ ବିମାନ ବନ୍ଦର ଆଖପାଖରେ ଥିବା ହୋଟେଲ ବି ଖାଲି ନାହିଁ। ସବୁ ହୋଟେଲରେ ଲୋକ ଭର୍ତ୍ତି ହୋଇ ରହିଛନ୍ତି। ହୋଟେଲ ଆଉ ଖାଲି ନଥିବାରୁ ଶହ ଶହ ଯାତ୍ରୀ ବିମାନ ବନ୍ଦରରେ ଆଶ୍ରୟ ନେଇଛନ୍ତି।

Comment