ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣମାନେ ଅଧିକାଂଶ ସମୟରେ କୋର୍ଟରେ ଜଣେ ଜଜମାନଙ୍କୁ ଫାଶୀ ଦଣ୍ଡ ଶୁଣାଉଥିବା ଶୁଣିଥିବେ। ହେଲେ ଜଣେ ଜଜଙ୍କୁ ଫାଶୀ ଦଣ୍ଡ ମିଳିଥିବା କଥା ଶୁଣିଛନ୍ତି କି?

କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭାରତରେ ଏପରି ଜଣେ ଜଜ୍ ଥିଲେ ଯାହାକୁ ଫାଶୀ ଦଣ୍ଡାଦେଶ କରାଯାଇଥିଲା। ତାଙ୍କର ନାଁ ହେଲା ଉପେନ୍ଦ୍ରନାଥ ରାଜଖୋଆ। ୧୯୭୬ ମସିହାରେ ତାଙ୍କୁ ଫାଶୀ ଖଣ୍ଟରେ ଝୁଲାଯାଇଥିଲା। ଜଣେ ଜଜଙ୍କୁ ତାଙ୍କର ଅପରାଧ ପାଇଁ ଫାଶୀ ଖୁଣ୍ଟରେ ଝୁଲାଇବା ଘଟଣା ସେ ସମୟରେ ବିରଳ ଥିଲା।୧୯୭୦ ମସିହାର କଥା, ସେ ସମୟରେ ଉପେନ୍ଦ୍ରନାଥ ଆସାମର ଧୁବରୀ ଜିଲ୍ଲା ନ୍ୟାୟାଳୟରେ ଜଜ୍ ଭାବେ କାର୍ଯ୍ୟ କରୁଥିଲେ। ସେତେବଳକୁ ତାଙ୍କର ଅବସର ନେବାର ବୟସ ମଧ୍ୟ ହୋଇଆସୁଥିଲା। କିଛି ଦିନ ପରେ ସେ ତାଙ୍କର ଚାକିରିରୁ ଅବସର ନେଇଥିଲେ। ଏହାପରେ ମଧ୍ୟ ସେ ତାଙ୍କର ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ତାଙ୍କର ସେହି ପୁରୁଣା ସରକାରୀ ବାସଭବନରେ ରହୁଥିଲେ। ହେଲେ ହଠାତ୍ ତାଙ୍କର ସ୍ତ୍ରୀ ଓ ତିନି ଝିଅ ଗାଏବ୍ ହୋଇଯାଇଥିଲେ। ସେ ସମୟରେ ତାଙ୍କର ପରିବାର କୌଣସି ଠିକଣା କାହା ପାଖରେ ନଥିଲା। ଯେ କେହି ବି ତାଙ୍କୁ ତାଙ୍କର ପରିବାର ବିଷୟରେ ପଚାରୁଥିଲେ ଉପେନ୍ଦ୍ରନାଥ କିଛି ନା କିଛି ବାହାନା କରି କଥା ଭୁଲାଇ ଦେଉଥିଲେ।

ଏହି ଘଟଣାର କିଛି ଦିନ ପରେ ଉପେନ୍ଦ୍ରନାଥ ମଧ୍ୟ ତାଙ୍କର ସରକାରୀ ବାସଭବନ ଛାଡ଼ି କୁଆଡ଼େ ଚାଲିଯାଇଥିଲେ। କିଛି ଦିନପରେ ଉପେନ୍ଦ୍ରନାଥଙ୍କ ଶଳା ତାଙ୍କୁ ସିଲିଗୁଡ଼ିର ଏକ ହୋଟେଲରେ ରହୁଥିବା ଜାଣିବାକୁ ପାଇଥିଲେ। ଉପେନ୍ଦ୍ରଙ୍କ ଶଳା ନିଜେ ଜଣେ ପୋଲିସ୍ ଅଧିକାରୀ ହୋଇଥିବାରୁ ସେ ତାଙ୍କ ଭଉଣୀ ଓ ଭାଣେଜୀମାନଙ୍କ ବିଷୟରେ ଜାଣିବାକୁ ଚାହିଁଲେ। ଉପେନ୍ଦ୍ରନାଥ କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କ ସୂଚନା ଦେବାରେ ଅସମର୍ଥ ହୋଇଥିଲେ। ଏହାପରେ ସେ ବହୁବାର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଶେଷରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାପରେ ପୋଲିସକୁ ଯେଉଁ ତଥ୍ୟ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଉପେନ୍ଦ୍ରନାଥ ତାଙ୍କ ସ୍ତ୍ରୀ ଓ ତିନି ଝିଅଙ୍କୁ ହତ୍ୟା କରି ତାଙ୍କର ବାସଭବନରେ ପୋତି ଦେଇଥିଲେ ବୋଲି ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କୁ ଜିଲ୍ଲାକୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ। ଶେଷରେ ତାଙ୍କୁ ୧୯୭୬ ମସିହାରେ ଫାଶୀ ଖୁଣ୍ଟରେ ଝୁଲାଯାଇଥିଲା।

ଏହାପରେ ମଧ୍ୟ ଉପେନ୍ଦ୍ରନାଥ କାହିଁକି ତାଙ୍କର ସ୍ତ୍ରୀ ଓ ଝିଅମାନଙ୍କୁ ହତ୍ୟା କରିଥିଲେ ତାହା ଆଜି ବି ଜଣାପଡ଼ିନାହିଁ। ଏହା ଏକ ରହସ୍ୟ ଭଳି ଆଜି ବି ରହିଆସିଛି। ତେବେ ଜଣେ ଜଜ୍ ଫାଶୀ ଖୁଣ୍ଟରେ ଝୁଲିବା ବିଶ୍ୱ ଇତିହାସରେ ଏବେ ବି ବିରଳ ହୋଇରହିଛି।

Comment