ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ୩୦ ବର୍ଷ ପରେ ମରୁଭୂମି ପାଲଟିବ ମହାନଦୀ। ସମୁଦ୍ରକୁ ବୋହିଯିବା ପାଇଁ ମହାନଦୀରେ ରହିବ ନାହିଁ ଟୋପାଏ ବି ପାଣି। ନଦୀରେ ଥିବା ଜଳ ଲୋକଙ୍କର ଆବଶ୍ୟକତାକୁ ନିଅଣ୍ଟିଆ ହେବ। କେବଳ ମହାନଦୀ ନୁହେଁ ରାଜ୍ୟର ପ୍ରାୟ ସମସ୍ତ ବଡ଼ ବଡ଼ ନଦୀର ଏହି ଅବସ୍ଥା ସୃଷ୍ଟି ହେବ। ଏଭଳି ଆକଳନ କରିଛନ୍ତି ସରକାର।

ସରକାରୀ ଆକଳନ ଅନୁଯାୟୀ ମହାନଦୀରେ ପ୍ରବାହିତ ହେଉଥିବା ଜଳ ମଧ୍ୟରୁ ଏବେ ସମୁଦ୍ରକୁ ୨୬ହଜାର ନିୟୁତ କ୍ୟୁବିକ୍‌ ମିଟରରୁ ଅଧିକ ଜଳ ବୋହି ଯାଉଛି। ମହାନଦୀ ଜଳ ମଧ୍ୟରୁ ୧୧,୦୭୯ ନିୟୁତ କ୍ୟୁବିକ ମିଟର ଚାଷ କାର୍ଯ୍ୟରେ ଲାଗୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ୧୧୨, ଶିଳ୍ପ ପାଇଁ ୮୯୭ ଓ ପରିବେଶ ପାଇଁ ୧୦,୪୭୭ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ ହେଉଛି। ତେବେ ମୋଟ୍‌ ଆବଶ୍ୟକ ହେଉଥିବା ଜଳ ମଧ୍ୟରୁ ସମୁଦ୍ରକୁ ବୋହି ଯାଉଥିବା ଜଳର ପରିମାଣ ଖୁବ୍ ଅଧିକ ରହିଛି।

ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ନାଗାବଳୀ ଓ ସୁବର୍ଣ୍ଣରେଖାର ୫୧ ହଜାର ନିୟୁତ କ୍ୟୁବିକ ମିଟରରୁ ଅଧିକ ବଳକା ଜଳ ସମୁଦ୍ରକୁ ବୋହି ଯାଉଛି। ଏହିସବୁ ନଦୀଗୁଡ଼ିକର ଜଳ ମଧ୍ୟରୁ ସର୍ବସାଧାରଣଙ୍କ ବ୍ୟବହାର ଲାଗି ୨୮୪ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ ପଡ଼ୁଥିବା ବେଳେ ଚାଷ ପାଇଁ ୨୧,୭୯୩ ଓ ଶିଳ୍ପ ଲାଗି ୧୮୩୨ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ ହେଉଛି।

ସରକାରଙ୍କ  ଏହି ଆକଳନ ଯଦି ସତ ହୁଏ ତାହା ହେଲେ ୨୦୫୦ ମସିହା ବେଳକୁ ୧୧ଟି ପ୍ରମୁଖ ନଦୀରେ ୮୫,୮୯୧ ନିୟୁତ କ୍ୟୁବିକ ମିଟର ଜଳ ଉପଲବ୍ଧ ହେବ। କିନ୍ତୁ କୃଷି, ସାଧାରଣ ବ୍ୟବହାର, ଶିଳ୍ପ ଓ ପରିବେଶ ଆଦି ଲାଗି ଆବଶ୍ୟକ ଜଳର ପରିମାଣ ୮୧ ହଜାର ନିୟୁତ କ୍ୟୁବିକ ମିଟରରୁ ଅଧିକ ରହିବ। ତେଣୁ ଏହି ସମୟ ବେଳକୁ ସୁବର୍ଣ୍ଣରେଖା, ନାଗାବଳୀ, ଇନ୍ଦ୍ରାବତୀ, କୋଲାବ ଓ ବଂଶଧରାକୁ ଛାଡ଼ିଦେଲେ ଆଉ କୌଣସି ନଦୀରେ ବଳକା ଜଳ ରହିବ ନାହିଁ।

ଏହି ସମୟ ବେଳକୁ ମହାନଦୀରେ ଉପଲବ୍ଧ ଜଳ ଆବଶ୍ୟକ ପୂରଣ କରିପାରିବ ନାହିଁ। ୨୦୫୦ ବେଳକୁ ମହାନଦୀରେ ୪୨,୨୧୦ ନିୟୁତ କ୍ୟୁବିକ ମିଟର ଜଳ ଉପଲବ୍ଧ ହେଉଥିବା ବେଳେ ଚାଷ, ସାଧାରଣ ବ୍ୟବହାର, ଶିଳ୍ପ ଓ ପରିବେଶ ପାଇଁ ସେତେବେଳେ ୪୨,୩୫୯ ନିୟୁତ କ୍ୟୁବିକ ମିଟର ଜଳ ଆବଶ୍ୟକ କରିବ ଯାହାକି ଉପଲବ୍ଧ ଜଳଠାରୁ ପ୍ରାୟ ୧୫୦ ନିୟୁତ କ୍ୟୁବିକ ମିଟର କମ୍‍ ରହିବ।

ଠିକ୍ ସେହିଭଳି ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ ତା’ଠାରୁ ପ୍ରାୟ ୩ହଜାର ନିୟୁତ କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ। ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ ଭଳି ପ୍ରମୁଖ ନଦୀଗୁଡ଼ିକରେ ୨୦୫୦ ମସିହା ବେଳକୁ ଯେଉଁ ଜଳାଭାବ ଦେଖାଦେବ ସେଥିଯୋଗୁ ମୁଣ୍ଡପିଛା ଜଳ ଉପଲବ୍ଧି ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି।

Comment