ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ୨୨ଟିକିଆ ହାତୀପଲ ମାଡି ଆସିବାରୁ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ିଲା ବେଳେ କୂଅରେ ପଡ଼ି ଜୀବନ ହରେଇଲେ ୬୨ବର୍ଷୀୟ ବୃଦ୍ଧ। ମୃତକ ଜଣକ ହେଲେ ମୟୂରଭଞ୍ଜ ଦୁଧିଆଣି ରେଞ୍ଜ ଅଧିନ କରଂଜିଆ ବ୍ଲକର ବାଟଗୌଡ଼ ଗାଁର ଦୂଆରୀ ନାୟକ।

ବୁଧବାର ସନ୍ଧ୍ୟା ସମୟର ଘଟଣା। ଦୂଆରୀ ୨୨ଟିକିଆ ହାତୀ ପଲ ନିଜ ଆଡ଼କୁ ମାଡ଼ି ଆସୁଥିବାର ଦେଖିଥିଲେ। ହାତୀଙ୍କ ଆକ୍ରମଣରୁ ନିଜକୁ ବଞ୍ଚେଇବାକୁ ଯାଇ ସେ କୂଅରେ ପଡ଼ି ଯାଇଥିଲେ। ଗାଁ ଲୋକ କୂଅରୁ ଉଦ୍ଧାର କରି ମେଡିକାଲରେ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

ଅନ୍ୟପକ୍ଷରେ ଏହି ୨୨ଟିକିଆ ହାତୀପଲ ସମୁଦାୟ କରଂଜିଆ ବନଖଣ୍ଡରେ ଗତ ୨ ମାସ ଉତ୍ପାତ ମଚାଉଛନ୍ତି। ହାତୀ ଉପଦ୍ରବ ଯୋଗୁଁ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବର୍ତ୍ତମାନ ଏହି ହାତୀପଲଟି ବାଟଟାଇଁସିରା ଗାଁ ପାଖ ଜଙ୍ଗଲରେ ଥିବା ସୂଚନା ରହିଛି। ସେପଟେ ବନବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନି।

Comment