ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ଆଇନ୍‌ ବିରୋଧରେ ତେଜୁଛି ଆନ୍ଦୋଳନ। ଦିନ ଯେତିକି ଗଡୁଛି ଆନ୍ଦୋଳନ ସେତିକି ତୀବ୍ରତର ହେଉଛି। ଦିଲ୍ଲୀ ପରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଏବଂ କର୍ଣ୍ଣାଟକର ମାଙ୍ଗଲୋରରେ ନାଗରିକତା ଆଇନ ବିରୋଧରେ ନିଆଁ ଜଳିଛି। ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲାଠି ମାଡ଼ କରିବାରୁ ୩ ଜଣ ପ୍ରାଣ ହରାଇଛନ୍ତି।

ମାଙ୍ଗଲୋରରେ ୨ ଜଣ ଏବଂ ଲକ୍ଷ୍ନୌରେ ୧ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ସହରରେ ଉତ୍ତେଜନା ଲାଗି ରହିଛି।

ନାଗରିକତା ଆଇନକୁ ବିରୋଧ କରି ଲକ୍ଷ୍ନୌରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ ସାଧାରଣ ଲୋକେ। ବିକ୍ଷୋଭକାରୀଙ୍କୁ ଘଉଡ଼ରଇବା ପାଇଁ ପୋଲିସ ଉଦ୍ୟମ କରିଥିଲା। ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା। ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ସ ଲାଠି ଚାର୍ଜ କରିଥିଲା। ଫଳରେ ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ମହମ୍ମଦ ବକିଲ।

ଏପଟେ ମାଙ୍ଗଲୋରରେ ବି ନାଗରିକତା ଆଇନକୁ ବିରୋଧ କରି ବିକ୍ଷୋଭ ହୋଇଥିଲା। ବିକ୍ଷୋଭକାରୀ ପୋଲିସ ଥାନାରେ ଭଙ୍ଗାରୁଜା କରିବା ସହ ହିଂସାକାଣ୍ଡ ଘଟାଇବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥିରେ ଦୁଇ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିଲେ। ସେମାନେ ହେଲେ ଜଲିଲ ଏବଂ ନୌସିନ୍‌।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ମାଙ୍ଗଲୋରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି।

ଲକ୍ଷ୍ନୌରେ ବିକ୍ଷୋଭକାରୀମାନେ ଥାନା ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନ ଏବଂ ବାଇକ ଜଳାଇ ଦେଇଥିବା ଅଭିଯୋଗ ହୋଇଛି। କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Comment