ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡରେ ଏଥର ସରକାର ଗଠନ କରିପାରିବ ନାହିଁ ବିଜେପି। ଏଥର ରାଜ୍ୟର ଶାସନକଳ ଜେଏମ୍ଏମ୍ ଓ କଂଗ୍ରେସ ମେଣ୍ଟ ପାଖକୁ ଯିବ। ଏ କଥା ଆମେ କହୁନୁ, ଏକଜିଟ୍ ପୋଲରୁ ଏଭଳି ଆକଳନ କରାଯାଇଛି।

ଶୁକ୍ରବାର ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ନିର୍ବାଚନ ଶେଷ ହୋଇଛି। ଏହାପରେ ରାଜ୍ୟରେ ସରକାର ଗଠନ କରିବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡରେ ଶାସନ କ୍ଷମତାରୁ ଏଥର ଦୂରେଇବ ବିଜେପି।ବୁଥ୍ ବାହୁଡ଼ା ମତ ଅନୁସାରେ, ଏଥର ରାଜ୍ୟର ମୋଟ୍ ୮୧ ଆସନରୁ ବିଜେପି  ମାତ୍ର ୨୨ରୁ ୩୨ଟି ଆସନ ପାଇବ ବୋଲି ଆଶା କରାଯାଉଛି। ରାଜ୍ୟର ସରକାର ଗଠନ ପାଇଁ ଅତିକମରେ ୪୨ଟି ଆସନ ଲୋଡ଼ା। ତେଣୁ ସରକାର ଗଠନର ମ୍ୟାଜିକ ନମ୍ବରରୁ ବହୁତ ପଛରେ ରହିଛି ବିଜେପି।

ଅନ୍ୟପଟେ କିନ୍ତୁ ଏଥର ଜେଏମ୍ଏମ୍ ଓ କଂଗ୍ରେସ ମେଣ୍ଟକୁ ବହୁମତ ମିଳିବ ବୋଲି କୁହାଯାଉଛି। ରାଜ୍ୟରେ ଏହି ମେଣ୍ଟକୁ ୩୮ରୁ ୫୦ଟି ଆସନ ମିଳିପାରେ ବୋଲି କୁହାଯାଉଛି। ଏହାଫଳରେ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ ସରକାର ଗଠନ ପାଇଁ ଯୋଗ୍ୟ ହେବା ଦେଖାଯାଉଛି।ସେହିଭଳି ଝାଡ଼ଖଣ୍ଡ ଭୋଟରଙ୍କୁ ମୁଡକୁ ବିଚାର କରି କରାଯାଇଥିବା ଏହି ଆକଳନ ଅନୁସାରେ ଜେବିଏମକୁ ଦୁଇରୁ ଚାରୋଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି। ଏହାସହ ଅଲ୍ ଝାଡ଼ଖଣ୍ଡ ଷ୍ଟୁଣ୍ଡେଣ୍ଟ ୟୁନିୟନକୁ ୩ରୁ ୫ଟି ସିଟ୍ ଓ ଅନ୍ୟ ଦଳମାନଙ୍କୁ ମୋଟ୍ ୪ରୁ ୭ଟି ମିଳିବ ବୋଲି ଆକଳନ କରାଯାଇଛି।
ସେହିଭଳି ଭୋଟ୍ ପ୍ରତିଶତକୁ ଦେଖିଲେ ରାଜ୍ୟରେ ବିଜେପି ୩୪ ପ୍ରତିଶତ ଭୋଟ୍ ପାଇଛି। ଜେଏମ୍ଏମ୍ ଓ କଂଗ୍ରେସ ମେଣ୍ଟକୁ ୩୭ ପ୍ରତିଶତ, ଜେବିଏମକୁ ୬ ପ୍ରତିଶତ ଏବଂ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନକୁ ୯ ପ୍ରତିଶତ ଭୋଟ ମିଳିଛି।ଯଦି ଝାଡ଼ଖଣ୍ଡ ବିଧାନସଭାରେ ଶାସନ କ୍ଷମତା ବିଜେପି ହାତରୁ ଖସିଯାଏ ତେବେ ବିଜେପି ପାଇଁ ଏହା ପୁଣି ଏକ ଶକ୍ତ ଧକ୍କା ହେବ। ବର୍ତ୍ତମାନ ଏଠାରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ସରକାର ଚାଲିଛି। ତେଣୁ ସରକାରରୁ ବିଦା ହେବା ବିଜେପି ପାଇଁ ଯୁଦ୍ଧ ହାରିଯିବାଠାରୁ କମ୍ ହେବ ନାହିଁ। ଅନ୍ୟପଟେ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ ରାଜ୍ୟରେ ସରକାର ଗଠନ ପାଇଁ ବେଶ ଆଗ୍ରହୀ ଥିବା ଦେଖିବାକୁ ମିଳିଛି।

Comment