ଓଡ଼ିଶାଲାଇଭ୍ ବ୍ୟୁରୋ

ଉନ୍ନାଓ ଗଣଦୁଷ୍କର୍ମ ମାମଲାର ବିଚାର କରି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଅଭିଯୁକ୍ତ କୁଲଦୀପ୍ ସେଙ୍ଗରକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଦିନ ଥିଲା ଉତ୍ତରପ୍ରଦେଶ ରାଜନୀତିରେ ଜଣେ ଟାଣୁଆ ବିଜେପି ନେତା ଭାବେ ଆଗରେ ଥିଲେ ବିଧାୟକ କୁଲଦୀପ ସେଙ୍ଗର। କିନ୍ତୁ ଆଜି ଉନ୍ନାଓ ଗଣଦୁଷ୍କର୍ମର ଅଭିଯୁକ୍ତ ଭାବେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି କୁଲଦୀପ ସେଙ୍ଗର। ଦିନେ ଉତ୍ତରପ୍ରଦେଶ ବିଧାନସଭା ଗୃହରେ ସମୟ ବିତାଉଥିବା ଏହି ନେତା ଏବେ ଜେଲର ବନ୍ଦ କଠୋରୀ ଭିତରେ ସମୟ ବିତେଇବେ।

ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ନିଜର ରାୟ ପ୍ରକାଶ କରିଛନ୍ତି। କୋର୍ଟ ତାଙ୍କୁ ୨୫ ଲକ୍ଷ ଟଙ୍କାର ଜରିମାନା ସହିତ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିସାରିଥିଲେ। ତେବେ ଏହି ଉନ୍ନାଓ ଗଣଦୁଷ୍କର୍ମ କିପରି ହେଲା ଏବଂ ଏଥିରେ କିଭଳି ଜଣେ ବିଜେପି ବିଧାୟକ ସାମିଲ ହେଲେ ତାହା ଆଜି ବି ଅନେକ ଲୋକଙ୍କ ମନରେ ପ୍ରଶ୍ନ ହୋଇ ଠିଆ ହୋଇଛି। ଆଜି ବି ଲୋକ ଏହା ପଛରେ ସମ୍ପୂର୍ଣ୍ଣ କଥା ଜାଣିନାହାନ୍ତି।ଜାଣନ୍ତୁ, କିଏ ଏହି ଦୋଷୀ ବିଜେପି ବିଧାୟକ?

ଏହି ଦୋଷୀ ବିଧାୟକଙ୍କ ପୂରାନାମ ହେଉଛି କୁଲଦୀପ୍ ସିଂହ ସେଙ୍ଗର। ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ନାମୀଦାମୀ ବିଧାୟକର ମାନ୍ୟତା ପାଇଥିବା ଏହି ବିଧାୟକ ଆଜି ଜଣେ ଦୁଷ୍କର୍ମକାରୀ ନାଁରେ ପରିଚିତ। ୨୦୧୭ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ବିଧାୟକ ଏବେ ଜେଲର କାଳ କଠୋରୀ ଭିତରେ ଦିନ କାଟିବେ।

କୁଲଦୀପ ସିଂହ ସେଙ୍ଗରଙ୍କ ରାଜନୈତିକ କ୍ୟାରିଅର ୧୯୯୦ ମସିହାରେ କଂଗ୍ରେସ ଦଳରୁ ଆରମ୍ଭ ହୋଇଥିଲା। ଏହାପରେ ୨୦୦୨ ମସିହାରେ ସେ ବିଏସପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ଏବଂ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୭ ମସିହାରେ ନିଜର ଦଳ ପରିବର୍ତ୍ତନ କରିଦେଇଥିଲେ। ୨୦୦୨ ରେ ବିଏସପି ଟିକେଟରେ ଲଢ଼ିଥିବା କୁଲଦୀପ ୨୦୦୭ରେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ପୁଣିଥରେ ନିଜ ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗଦେଇଥିଲେ। ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ପୁଣିଥରେ ବିଧାୟକ ହୋଇଥିଲେ।ବିଜେପି ବିଧାୟକ ଓ ଉନ୍ନାଓ ଗଣଦୁଷ୍କର୍ମ

୨୦୧୭ ମସିହା ଜୁନ୍ ମାସ ୪ ତାରିଖରେ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଓ ତାଙ୍କର ଦୁଇ ଭାଇ ମିଶି ଜଣେ ନାବାଳିକା ଝିଅର ଗଣଦୁଷ୍କର୍ମ କରିଥିଲେ। ଚାକିରି ଦେବାର ପ୍ରଲୋଭନ ଦେଖାଇ ନାବାଳିକା ଜଣକୁ ଘରକୁ ଡାକିଥିଲେ ବିଧାୟକ। ସେଠାରେ ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ବିଧାୟକ।

ଏହାପରେ ପୀଡ଼ିତା ଜଣକ ଏନେଇ ଜୁନ୍ ୨୨ ତାରିଖରେ ପୋଲିସରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କର ଅଭିଯୋଗ ଗ୍ରହଣ କରିନଥିଲା। ସେ ଅଞ୍ଚଳରେ ବିଧାୟକଙ୍କ ବେଶ୍ ଖାତିର୍ ରହିଥିବାରୁ ପୋଲିସ୍ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।  ଏପିରିକି ଏହି ଘଟଣା ପରେ ପୀଡ଼ିତାଙ୍କ ବାପାଙ୍କୁ ବିଧାୟକଙ୍କ ଲୋକମାନେ ନେଇ ମାଡ଼ପିଟ କରିଥିବା ମଧ୍ୟ ସୂଚନା ମିଳିଥିଲା। ଯେଉଁଥିରେ ପୋଲିସ୍ ହାଜତରେ ପୀଡ଼ିତାଙ୍କ ବାପା ମୃତ୍ୟୁବରଣ କରିଥିଲେ ।

ଏହାପରେ ପୀଡ଼ିତା ଜଣକ ବାଧ୍ୟ ହୋଇ ୨୦୧୭ ଅଗଷ୍ଟ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ସାଙ୍ଗେ ସାଙ୍ଗେ ଜାତୀୟ ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଥିଲା। ନ୍ୟୁଜ ଚ୍ୟାନେଲଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଉନ୍ନାଓ ଗଣଦୁଷ୍କର୍ମ ଘଟଣାର ଖବର।ଗିରଫ ହେଲେ ବିଜେପି ବିଧାୟକ

ପୀଡ଼ିତାଙ୍କ ଆତ୍ମଦାହ କରିବା ଘଟଣା ପରେ ରାଜ୍ୟ ସରକାର ଏହି ମାମଲାକୁ ସିବିଆଇକୁ ଦେଇଥିଲେ। ସିବିଆଇ ୨୦୧୮ ମସିହା ଏପ୍ରିଲ ୧୩ ତାରିଖରେ କୁଲଦୀପଙ୍କୁ ନିଜ ହେପାଜତକୁ ନେଇଥିଲା। ବିଧାୟକଙ୍କୁ ହେପାଜତକୁ ନେବାର ଗୋଟିଏ ଦିନ ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହି ଘଟଣା ସେ ସମୟରେ ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଗୋଟିଏ ପଟେ ବିଜେପି ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଉଥିଲାବେଳେ ଏହି ଘଟଣା ପାଇଁ ଲୋକମାନେ ବିଜେପିକୁ ଟାର୍ଗେଟ କରିଥିଲେ।ପୀଡ଼ିତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ବିଧାୟକ

ଏହି ଘଟଣା ସେତେବେଳ ପର୍ଯ୍ୟନ୍ତ କୋର୍ଟରେ ବିଚାରଧୀନ ରହିଥିଲା। ୨୦୧୯ ମସିହା ଜୁଲାଇ ୨୮ ତାରିଖରେ ପୀଡ଼ିତାଙ୍କୁ ଟ୍ରକ୍ ଚଢ଼ାଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ଏହି ଘଟଣା ପଛରେ ମଧ୍ୟ ବିଧାୟକ କୁଲଦୀପ୍ ସେଙ୍ଗରଙ୍କ ହାତ ରହିଥିଲା ବୋଲି କୁହାଯାଏ। ସେହିଦିନ ପୀଡ଼ିତା, ପୀଡ଼ିତାଙ୍କ ଓକିଲ ଓ ତାଙ୍କର ଦୁଇଜଣ ଖୁଡ଼ି କାର ଯାଉଥିବାବେଳେ ଗୋଟିଏ ନମ୍ବରହୀନ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରୁ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତିଯାଇଥିଲେ ପୀଡ଼ିତା। ତେବେ ଏଥିରେ କିନ୍ତୁ ତାଙ୍କର ଦୁଇ ଖୁଡ଼ି ମୃତ୍ୟୁବରଣ କରିଥିଲେ।ଦୋଷୀ ସାବ୍ୟସ୍ତ ହୋଇଥିଲେ ବିଜେପି ବିଧାୟକ

ଏହି ଘଟଣା ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାମଲାର ବିଚାର ପାଇଁ ଦିଲ୍ଲୀର ତିସ୍ ହଜାରୀ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପୀଡ଼ିତାଙ୍କ ପରିବାର ଏବଂ ଓକିଲଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହି ମାମଲାରେ କୋର୍ଟ ପୋକ୍ସୋ ଆଇନ୍ ଏବଂ ଆଇପିସି ଧାରା ୩୭୬ରେ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା।

Comment