ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ: ବନବିଭାଗ ହାତରେ ଧରାପଡ଼ିଲେ କାଠ ମାଫିଆ। ଶୁକ୍ରବାର କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚଢ଼ାଉ କରି ବନବିଭାଗର ସ୍ୱତନ୍ତ୍ର ଟିମ୍ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି।

ଗତ କିଛି ଦିନ ଧରି ଏହି ଅଞ୍ଚଳରେ କାଠ ମାଫିଆମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। କାଠ ମାଫିଆମାନେ ଜଙ୍ଗଲରୁ ବହୁ ଦାମୀ କାଠ କାଟି ଆଣି ଏହାକୁ ବିକ୍ରି କରୁଥିଲେ। ଏହାକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଶୁକ୍ରବାର ଜିଲ୍ଲା ବନ ଅଧିକାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଡିଏସପି, ଏସିଏଫଓ ଓ ଜୟପୁର ଉପଖଣ୍ଡ ବନ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍  ସେହି ଅଞ୍ଚଳରେ ଚଢ଼ାଉ କରିଥିଲା।ଚଢ଼ାଉ ହେବା ପରେ ସ୍ଥାନୀୟ ଭୋନସଲି ଗ୍ରାମର ପାଞ୍ଚୋଟି ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କାଠ ଜବତ କରିଛି ବନ ବିଭାଗ। ଏହି ସମସ୍ତ କାଠକୁ ଜବତ କରିବା ପରେ ଏହାକୁ ବୋରିଗୁମ୍ମା ଫରେଷ୍ଟ ରେଞ୍ଜକୁ ଅଣାଯାଇଛି। ସେଠାରେ ସବୁ କାଠକୁ ଓଜନ କରାଯାଇ ରଖାଯାଇଛି।

ଏହି ଚଢ଼ାଉ ସମୟରେ ସମସ୍ତ ଅପରାଧୀ ଖସି ପଳାଇଛନ୍ତି। ତେବେ ସେମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଖୁବଶୀଘ୍ର ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Comment