ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ୭ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବରେ ମୋଟ ୪୭ଟି ପୁରସ୍କାରରୁ ୧୨ଟିରେ ଦକ୍ଷିଣ ଓଡ଼ିଶା କଳାକାର ବାଜି ମାରି ନେଇଛନ୍ତି।

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଶୁକ୍ରବାର ୭ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଦକ୍ଷିଣ ଓଡ଼ିଶାର କଳାକାରମାନେ ଝଲସିଥିଲେ। ପ୍ରଥମ ଥର ପାଇଁ ଅଧିକାଂଶ ବିଭାଗରେ ପୁରସ୍କାର ଜିତିବାରେ ବାଜି ମାରି ନେଇଛନ୍ତି ଦକ୍ଷିଣ ଓଡ଼ିଶା ତଥା କୋରାପୁଟିଆ କଳାକାର। ସରକାରଙ୍କ ଦ୍ୱାରା ପୁରସ୍କୃତ ହେବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି କଳାକାର। ଚଳିତ ବର୍ଷ ମୋଟ ୪୭ଟି ପୁରସ୍କାରରୁ ୧୨ଟିରେ ଦକ୍ଷିଣ ଓଡ଼ିଶା କଳାକାର ବାଜି ମାରି ନେଇଛନ୍ତି।

‘‘ତାଳି ଓ ପ୍ରଂଶସାରେ କଳକାରମାନଙ୍କର ଦୁର୍ବଳତା ଥାଏ। ପୁରସ୍କାର ପ୍ରଦାନ କରିବା ବା ସମ୍ମାନ ପ୍ରଦାନ କରିବା ପ୍ରଂଶସାର ସବୁଠୁ ଉତ୍କୃଷ୍ଟ ମାଧ୍ୟମ। ସବୁଠୁ ଗର୍ବର କଥା ଏଥର କୋରାପୁଟ କଳାକାର ସବୁଠୁ ଅଧିକ ସମ୍ମାନ ନେଇଛନ୍ତି’’, କହିଛନ୍ତି ଅଭିନେତା ଜୟନ୍ତ ସାନ୍ତ୍ରା।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଉପାନ୍ତ ଅଞ୍ଚଳର କଳାକାରମାନଙ୍କୁ ଆଗରୁ ସୁଯୋଗ ମିଳୁନଥିଲା। ଏବେ ସୁଯୋଗ ମିଳୁଛି ସେଥିପାଇଁ ସେମାନେ ତାଙ୍କର ପ୍ରତିଭାକୁ ଦେଖାଇ ପାରୁଛନ୍ତି ଓ ଲୋକମାନଙ୍କ ସାମ୍ନାକୁ ଆଣି ପାରୁଛନ୍ତି।’’

ଟେଲି ଚଳଚ୍ଚିତ୍ର ‘‘ପେନସନ’’ ପାଇଁ ଜୟନ୍ତ ସାନ୍ତ୍ରା ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ ଥିଲା। ଜଣେ ସହିଦ ଯବାନଙ୍କର ବାପାଙ୍କର କାହାଣୀକୁ ଏଥିରେ ପ୍ରତିଫଳିତ କରାଯାଇଥିଲା। ଏହି ଟେଲି ଫିଲ୍ମ ପାଇଁ ପ୍ରଯୋଜନା ମାଥ୍ୟୁ ଜେନିଫ ଜୋସେଫ ଓ ଶିଳ୍ପା କ୍ରିଷ୍ଣନ ଶୁକ୍ଳା ସମ୍ମାନିତ ହୋଇଥିଲେ। ଏହାର ଶ୍ରେଷ୍ଠ କାହାଣୀ ପାଇଁ ବିଶାଳ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା।

ସେହପରି ଟେଲି ଫିଲ୍ମ ‘କମଲି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସୋନାଲି ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ‘‘କମଲି ଆଦିବାସୀ ଭାଷାରେ ହୋଇଥିଲା। ଏଥିପାଇଁ ଆଦିବାସୀ ଭାଷା ଶିଖିବାକୁ ପଡ଼ିଥିଲା। ପ୍ରଥମ ଥର ଟେଲି ଫିଲ୍ମ କରି ପୁରସ୍କୃତ ହେବା ଭାଗ୍ୟର କଥା କହିଛନ୍ତି’’, ଅଭିନେତ୍ରୀ ସୋନାଲି ନାୟକ।

ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ମହମ୍ମଦ ବବଲୁଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ଆତ୍ମାନନ୍ଦ ନାୟକ, ପ୍ରଯୋଜକ ଚିନ୍ତାମଣି ବେହେରା ସମ୍ମାନିତ ହୋଇଥିଲେ।

ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଓ ଟେଲି ଧାରାବାହିକ ସହିତ ଜଡ଼ିତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Comment