ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତ ୬ ମାସ ତଳେ ହୋଇଥିବା ସାଧାରଣ ନିର୍ବାଚନ ବେଳେ ସାରା ଦେଶରେ କାମ କରିଥିଲା ମୋଦୀ ମ୍ୟାଜିକ୍‌। ଝାଡଖଣ୍ଡରେ ବି ମୋଦୀ ମ୍ୟାଜିକ୍‌ କାମ କରିଥିଲା। ହେଲେ ୬ ମାସ ପରେ ଏବେ ଯେଉଁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଥିଲା ସେଥିରେ ମୋଦୀ ମ୍ୟାଜିକ୍‌ରେ ବ୍ରେକ୍‌ ଲାଗିଥିବା ଖବର ଆସିଛି। ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଝାଡଖଣ୍ଡରେ ନିର୍ବାଚନ ରାଲି କରିଥିଲେ ମଧ୍ୟ ଭୋଟରଙ୍କ ଉପରେ ତାହା ପ୍ରଭାବ ପକାଇ ପାରି ନଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇଛି। ମୋଦୀ ମ୍ୟାଜିକ୍‌ ବଳରେ ପୁଣି ଝାଡଖଣ୍ଡରେ ସରକାର ଗଠନ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଭାଙ୍ଗି ଯାଇଛି। ଝାଡଖଣ୍ଡରେ ରଘୁବର ଦାସଙ୍କ ସରକାରକୁ ଗଡ଼ାଇ କଂଗ୍ରେସ-ଜେଏମ୍‌ଏମ୍‌-ଆର୍‌ଜେଡି ମେଣ୍ଟ ବାଜି ମାରିଛି।

୨୦୧୯ ନିର୍ବାଚନ ପୂର୍ବରୁ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବଡ଼ ଝଟ୍‌କା ଖାଇଥିଲା। ଏହି ନିର୍ବାଚନରେ ବିଜେପିକୁ ବଡ଼ ଶିକ୍ଷା ମିଳିଥିଲା। ଏହି ରାଜ୍ୟରେ ଯେଉଁ ଭୁଲ୍‌ ହୋଇଥିଲା ତାକୁ ସୁଧାରି ବିଜେପି ନୂଆ ଷ୍ଟ୍ରାଟେଜି ତିଆରି କରିଥିଲା। ହେଲେ ଷ୍ଟ୍ରାଟେଜି ପୁଣି ଝାଡଖଣ୍ଡରେ ଫେଲ୍ ମାରିଛି। ମୋଦୀ ମ୍ୟାଜିକ୍‌ ଏଠି ଫେଲ୍‌ ମାରିଥିବା ସ୍ପଷ୍ଟ ହୋଇଛି।

୨୦୧୪ ନିର୍ବାଚନ ପରେ ସବୁ ରାଜ୍ୟକୁ ଅକ୍ତିଆର କରିବା ପାଇଁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଫଳରେ ଗୋଟିଏ ପରେ ଗୋଟି ରାଜ୍ୟରେ ବିଜେପିର ଗେରୁଆ ବାନା ଉଡ଼ିଥିଲା। ୨୦୧୪ରେ ବିଜେପି ମାତ୍ର ୭ଟି ରାଜ୍ୟରେ ଶାସନରେ ରହିଥିଲା। ୨୦୧୫ରେ ୯ ରାଜ୍ୟ ବିଜେପି ଖାତାକୁ ଆସିଥିବା ବେଳେ ୨୦୧୬ରେ ୧୧ ରାଜ୍ୟ, ୨୦୧୭ରେ ୧୪ ରାଜ୍ୟ ଏବଂ ୨୦୧୮ରେ ୧୯ ରାଜ୍ୟ ରହିଥିଲା। ହେଲେ ଏବେ ଏହି ସଂଖ୍ୟା ଧିରେ ଧିରେ କମି ଚାଲିଛି। ୨୦୧୯ରେ ମାତ୍ର ୧୨ଟି ରାଜ୍ୟରେ ବିଜେପି ଶାସନରେ ରହିଛି।

ମହରାଷ୍ଟ୍ରରେ ବିଜେପି ହାତରୁ ସରକାର ଚାଲିଯିବା ପରେ ଏବେ ଝାଡଖଣ୍ଡରେ ବି ବିଜେପିକୁ ପରାଜିତ ହେବାକୁ ପଡ଼ିଛି।

Comment