ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ର ନୂଆ ସୂର୍ଯ୍ୟୋଦୟ ହେଉ ହେଉ ରାଜନୀତି କରିଡରରେ ହଠାତ ଚଳଚଞ୍ଚଳ ହୋଇ ଉଠିଥିବା ଅପରାଜିତାଙ୍କୁ ନେଇ ଏବେ ବି ଚର୍ଚ୍ଚା ଥମୁନି।

କୁହାଯାଏ ରାଜନୀତିର ପାଠ ଟିକେ କଠିନ। ହେଲେ ଏହି ପାଠ ବୁଝି ପାରିଲେ ପରୀକ୍ଷାରେ ପାସ୍‌ କରିବା ସହଜ। ଅପରାଜିତା ଷଡ଼ଙ୍ଗୀ ହେଉଛନ୍ତି ସେହିଭଳି ନେତ୍ରୀ ଯିଏ ରାଜନୀତି ପାଠକୁ ବୁଝି ପ୍ରଥମ ପରୀକ୍ଷାରେ ଛକା ମାରି ଦିଲ୍ଲୀ ଯାଇଛନ୍ତି।

ଆଇଏଏସ୍‌ ଚାକିରି ଛାଡ଼ି ଅପରାଜିତା ଷଡ଼ଙ୍ଗୀ ସକ୍ରିୟ ରାଜନୀତିକୁ ଆସିବେ ବୋଲି କେହି କେବେ କଳ୍ପନା କରିନଥିଲେ। କିନ୍ତୁ ତାହା ହିଁ ହୋଇଛି। ୨୦୧୯ରେ ନୂଆ ସୂର୍ଯ୍ୟୋଦୟ ହେବା ପୂର୍ବରୁ ଅପରାଜିତା ଆଇଏଏସ୍‌ ଚାକିରି ଛାଡ଼ି ସାଂସଦ ହୋଇଛନ୍ତି।

୨୦୧୯ରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ସମ୍ପର୍କରେ ଆଲୋଚନା କରିବା ବେଳେ ଅନେକ ଚର୍ଚ୍ଚିତ ଚେହେରା ଆଖି ସାମ୍ନାକୁ ଚାଲି ଆସନ୍ତି। ସେମିତି କିଛି ଚର୍ଚ୍ଚିତ ଚେହେରାଙ୍କ ଭିତରେ ଅପରାଜିତା ଷଡ଼ଙ୍ଗୀ ହେଉଛନ୍ତି ଅନ୍ୟତମ। ଆଇଏଏସ୍‌ ଚାକିରି ଛାଡ଼ିବା, ବିଜେପିରେ ଯୋଗ ଦେବା ଏବଂ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପ୍ରସଙ୍ଗକୁ ନେଇ ଅପରାଜିତା ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ଏବେ ବି ବିଜେପି ଶିବିରରେ ଅପରାଜିତାଙ୍କୁ ନେଇ ଚର୍ଚ୍ଚା ଥମିନି।

ବିଜେପିରେ ଅପରାଜିତା!

୨୦୧୮ ନଭେମ୍ବର ୨୬ ତାରିଖ। ଖବର ଆସିଲା ଅପରାଜିତା ପଦ୍ମ ଧରିବେ। ଏହି ଖବର ବିଜୁଳି ବେଗରେ ବ୍ୟାପିଗଲା। ତେବେ ଅପରାଜିତା କେଉଁଠି ପଦ୍ମ ଧରିବେ ତାହା ସ୍ପଷ୍ଟ ହୋଇ ନଥିଲା। ୨୭ ତାରିଖ ସକାଳେ ଅପରାଜିତାଙ୍କୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବାସଭବନରେ ଦେଖିବାକୁ ମିଳିଲା। ଶାହଙ୍କ ବାସଭବନରେ ଅପରାଜିତା ପଦ୍ମ ଧରି ଓଡ଼ିଶା ଆସିଥିଲେ।

ଅପରାଜିତାଙ୍କୁ ଆଗରେ ରଖି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ବିଜେପି ନେତା।

ଏଠି, ସେଠି, ସବୁଠି ଦିଶିଲେ ଅପରାଜିତା

ଓଡ଼ିଶା ଫେରିବା ପରେ ଅପରାଜିତାଙ୍କୁ ଏଠି ସେଠି ସବୁଠି ଦେଖିବାକୁ ମିଳିଥିଲା। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଗୁରୁତ୍ୱ ବଢ଼ିଥିଲା। ଅପରାଜିତା ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହିଥିଲେ।

ନୂଆ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଓଡ଼ିଶାବାସୀ ଦେଖିବା ପୂର୍ବରୁ ବିଜେପିର ଚାରିକାନ୍ଥ ଭିତରୁ ବାହାରିଥିଲେ ଅପରାଜିତା। ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଅପରାଜିତାଙ୍କ ବଡ଼ ବଡ଼ ହୋର୍ଡିଂ ଲାଗିଲା। ରାମମନ୍ଦିର ଛକରୁ ଚନ୍ଦ୍ରଶେଖରପୁର, ମାଷ୍ଟରକ୍ୟାଣ୍ଟିନରୁ ଖଣ୍ଡଗିରି ସବୁଠି ଅପରାଜିତାଙ୍କ ହୋର୍ଡିଂ ଲୋକଙ୍କ ନଜରରେ ପଡ଼ିଲା।

ଏହି ହୋର୍ଡିଂ ମାଧ୍ୟମରେ ଅପରାଜିତା ରାଜଧାନୀବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇ ଆଗକୁ ଆସିଥିଲେ।

ଖାଲି ସେତିକି ନୁହେଁ, ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ପିପିଲି ଆସିଥିଲେ। ଏହି ଟିମ୍‌ରେ ଥିଲେ ଅପରାଜିତା। ସାମ୍ବାଦିକ ସମ୍ମିଳନୀରେ ନବୀନ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ ଅପରାଜିତା।

ବାଲିଅନ୍ତା ବ୍ଲକରେ ପଦଯାତ୍ରା ହେଉ କି ବୁଦ୍ଧ ପାର୍କରେ ମର୍ଣ୍ଣିଂ ୱାକ ହେଉ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଜନସମ୍ପର୍କ ପରାମର୍ଶ ପଦଯାତ୍ରା ହେଉ କି କପିଳେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ବେଳେ ଲୋକଙ୍କ ସହ ମିଶିବା। ବସ୍ତିରେ ଲୋକଙ୍କ ସହ ଆଲୋଚନା କରିବା ଆଦିକୁ ନେଇ ଉଣେଇଶରେ ଚର୍ଚ୍ଚାରେ ରହିଥିଲେ ବିଜେପିର ଏହି ପୋଷ୍ଟରଗର୍ଲ।

ଚର୍ଚ୍ଚାରେ ଅପରାଜିତାଙ୍କ ଚା’ ଖଟି

୨୦୧୪ ନିର୍ବାଚନ ପୂର୍ବରୁ ସାରା ଦେଶରେ ବିଜେପିର ପୋଷ୍ଟରବୟ ନରେନ୍ଦ୍ର ମୋଦୀ ‘ଚାୟ ପେ ଚର୍ଚ୍ଚା’ କରି ଜାତୀୟ ରାଜନୀତିକୁ ହଲ୍‌ଚଲ୍ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ପୋଷ୍ଟରଗର୍ଲ ଅପରାଜିତା ଷଡ଼ଙ୍ଗୀ ସେହି ରାସ୍ତାରେ ପାଦ ରଖିଥିଲେ।

ଲୋକଙ୍କ ସହ ସିଧାସଳଖ କଥା ହେବା ପାଇଁ ଅପରାଜିତା ଚା’ ଖଟିର ଆୟୋଜନ କରିଥିଲେ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏହାର ନାଁ ଥିଲା ‘ମର୍ଣ୍ଣିଂ ଟି ଉଇଥ୍ ଅପରାଜିତା ଷଡ଼ଙ୍ଗୀ’।

ନିର୍ବାଚନ ପାଖେଇ ଆସୁଥିବାରୁ ଏବଂ ପ୍ରଥମ ଥର ପାଇଁ ଅପରାଜିତା ଚା’ଖଟିରେ ସାମିଲ ହେଉଥିବାରୁ ଏହାକୁ ନେଇ ରାଜନୀତି ଉଷ୍ମ ହୋଇଥିଲା।

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ‘ଅପରାଜିତା’!

ଅପରାଜିତା ଯେତେବେଳେ ପଦ୍ମ ଧରିଲେ ସେତେବେଳେ ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ହୋଇଥିଲା। ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ବିଜେପି ଅଫିସରେ କମ୍ପନ ସୃଷ୍ଟି କରିଥିଲା। ଅପରାଜିତା ଜଣେ ମହିଳା ଏବଂ ଉଚ୍ଚଶିକ୍ଷିତା ହୋଇଥିବାରୁ ସେ ହିଁ ବିଜେପିର ଭବିଷ୍ୟତ ବୋଲି ଆଲୋଚନା ହୋଇଥିଲା।

କିନ୍ତୁ ଅପରାଜିତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ ଦେଇଥିଲା ବିଜେପି। ଅପରାଜିତା ଯେତେବେଳେ ଟିକେଟ ପାଇଲେ ସେତେବେଳେ ବିଜେଡି ମଧ୍ୟ ଚିନ୍ତାରେ ପଡ଼ିଥିଲା। କାହାକୁ ପ୍ରାର୍ଥୀ କଲେ ଦଳ ଅପରାଜିତାଙ୍କୁ ଟକ୍କର ଦେବ ତାକୁ ନେଇ ମାନସ ମନ୍ଥନ କରିଥିଲା। ଶେଷରେ ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ଦେଇ ନଥିଲା ବିଜେଡି।

ଅପରାଜିତାଙ୍କ ବିପକ୍ଷରେ ମୁମ୍ବାଇର ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଶେଷରେ ଅପରାଜିତା ହିଁ ବାଜି ମାରିଥିଲେ।

ଏବେ ଅପରାଜିତା ସାଂସଦ ଅଛନ୍ତି। ହେଲେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ରାଜ୍ୟ ସଭାପତି ପଦ ପାଇଁ ମଧ୍ୟ ଅପରାଜିତାଙ୍କ ନାଁ ଉଠୁଛି। ତେବେ ୨୦୨୦ରେ ତାଙ୍କୁ ଆଉ କେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳୁଛି ଦେଖିବାକୁ ବାକି ରହିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

1 COMMENT

  1. Aparajita is a good servant of the nation.CM is not matter to her. She is in the heart of every odia for her dedication life time.May Lord Jagannath blessed her to serve more and more. Thanks

Comment