ଓଡ଼ିଶାଲାଇଭ୍‌ ବ୍ୟୁରୋ

କ’ଣ ହେବ ରଘୁବରଙ୍କ ଭାଗ୍ୟ?

ଆଉ କିଛି ସମୟ ମଧ୍ୟରେ ଆସିବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ। ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଅନୁଯାୟୀ, ଆଗରେ ରହିଛି କଂଗ୍ରେସ ଜେଏମ୍‌ଏମ୍‌ ମେଣ୍ଟ ରହିଥିବା ବେଳେ ପଛରେ ପଡ଼ିଯାଇଛି ରଘୁବରଙ୍କ ବିଜେପି ସରକାର। ତେବେ ଏଥର କ’ଣ ହେବ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଭାଗ୍ୟ?

ଝାଡ଼ଖଣ୍ଡ ରାଜନୀତିର ଇତିହାସ ଦେଖିବାକୁ ଗଲେ, ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଝାଡ଼ଖଣ୍ଡରେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଲଗାତାର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରି ନାହାନ୍ତି। ତେବେ ରଘୁବର ଦାସ ଝାଡ଼ଖଣ୍ଡର ଏହି ପରମ୍ପରାକୁ ଭାଙ୍ଗି ପାରୁଛନ୍ତି ନା ଏଥର ଫେଲ୍‌ ମାରି ବିଜେପି ସରକାର ଗଢ଼ିବାରୁ ବଞ୍ଚିତ ହେଉଛି, ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ।

ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାରେ ୧୯ ବର୍ଷ ବିତି ଗଲାଣି। ୨୦୦୦ ମସିହାରେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିବା ସମୟରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇଥିଲା। ଇତି ମଧ୍ୟରେ ରାଜ୍ୟରେ ୩ଟି ବିଧାନସଭା ନିର୍ବାଚନ ହୋଇଥିବା ବେଳେ ୬ଜଣ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ବାବୁଲାଲ ମାରାଣ୍ଡି, ଅର୍ଜୁନ୍‌ ମୁଣ୍ଡା, ଶିବୁ ସୋରେନ୍‌, ମଧୁ କୋଡ଼ା, ହେମନ୍ତ ସୋରେନ୍‌ ଏବଂ ରଘୁବର ଦାସ। ଏଥର ରାଜ୍ୟରେ ଚତୁର୍ଥ ବିଧାନସଭା ନିର୍ବାଚନ ଚାଲିଛି।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ମଧୁ କୋଡ଼ା ଇସ୍ତଫା ଦେବା ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନ୍‌ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ପାଇଁ ଉପ-ନିର୍ବାଚନର ସାମ୍ନା କରିବାକୁ ପଡ଼ିଥିଲେ। ହେଲେ ସେ ଏଥିରେ ପରାଜୟ ହୋଇଥିଲେ। ଏହାପରେ ଶିବୁ ସୋରେନ୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

୨୦୧୪ ମସିହାରେ ରଘୁବର ଦାସଙ୍କ ବିପକ୍ଷରେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ବାବୁଲାଲ୍‌ ମରାଣ୍ଡି, ଅର୍ଜୁନ ମୁଣ୍ଡା, ମଧୁ କୋଡା ଏବଂ ହେମନ୍ତ ସୋରେନ୍‌। ତେବେ ସମସ୍ତଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ।

ବର୍ତ୍ତମାନ ରଘୁବର ଦାସଙ୍କୁ ନେଇ ଝାଡ଼ଖଣ୍ଡ ରାଜନୀତିର ପରିଣାମ କ’ଣ ହେବ? ରଘୁବର ରାଜ୍ୟର ଏହି ଚିରାଚରିତ ପରମ୍ପରାକୁ ଭାଙ୍ଗି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନା ବିଜେପି ଝାଡ଼ଖଣ୍ଡରେ ଫେଲ୍‌ ମାରିବ। ଆଜି ସନ୍ଧ୍ୟା ସୁଦ୍ଧା ଝାଡ଼ଖଣ୍ଡର ଭାଗ୍ୟଫଳ ଜଣାପଡ଼ିବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment