ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଧୀରେଧୀରେ ବିଜେପି ଶାସିତ ରାଜ୍ୟ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ସୋସିଆଲ୍ ମିଡିଆରେ ଗୋଟିଏ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା। ଫଟୋଟି ଏବେ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ସବୁଠି ଝଡ଼ ସୃଷ୍ଟି କରିଛି। ଫଟୋଟିରେ ଭାରତରେ ବିଜେପି ଶାସିତ ରାଜ୍ୟମାନଙ୍କର ଏକ ତୁଳନା କରାଯାଇଛି।

ଏହି ଫଟୋରେ ଦେଖାଯାଇଛି ଯେ, ୨୦୧୭ ଡିସେମ୍ବର ମାସରେ ବିଜେପି କିମ୍ବା ବିଜେପି ସହଯୋଗୀ ଦଳ ଦେଶର ୭୦ପ୍ରତିଶତ ରାଜ୍ୟରେ ଶାସନ କରୁଥିଲା। କିନ୍ତୁ ୨୦୧୯ବେଳକୁ ଏହା ୩୪ ପ୍ରତିଶତକୁ କମି ଆସିଛି। ତେଣୁ ଦିନେ କଂଗ୍ରେସ ମୁକ୍ତ ଦେଶ ଗଠନ ପାଇଁ ନାରା ଦେଉଥିବା ବିଜେପି ଏବେ ଧୀରେଧୀରେ ନିଜେ ଗାଏବ୍ ହେଉଥିବା କିଛି ଲୋକ କହିବା ଆରମ୍ଭ କରିଦେଇଛନ୍ତି।୨୦୧୭ ଡିସେମ୍ବର ମାସ ବେଳକୁ ବିଜେପି ଓ ବିଜେପି ସହଯୋଗୀ ଦଳମାନେ ଦେଶର ମୋଟ୍ ୧୯ଟି ରାଜ୍ୟରେ ଶାସନ କରୁଥିଲେ। ସେ ସମୟରେ ବିଜେପି ସାରା ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ନାରା ଦେଇଥିଲା। ଏବେ କିନ୍ତୁ ବିଜେପି ଦେଶର ବିଭିନ୍ନ ରାଜ୍ୟର ଶାସନ ବ୍ୟବସ୍ଥାରୁ ଗାଏବ୍ ହେବା ଆରମ୍ଭ ହେଲାଣି। ୨୦୧୭ରେ ୧୯ଟି ରାଜ୍ୟରେ ବିଜେପି ଓ ତାର ସହଯୋଗୀ ଦଳ ଶାସନ କରୁଥିଲେ। ଏହାପରେ ୨୦୧୯ ଡିସେମ୍ବର ମାସ ବେଳକୁ ମାତ୍ର ୮ଟି ରାଜ୍ୟରେ ଏକାକୀ ଶାସନ କ୍ଷମତାରେ ରହିପାରିଛି ଓ ବିଜେପିର ସହଯୋଗୀ ଦଳ ୮ଟି ରାଜ୍ୟରେ ଶାସନରେ ଅଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସର ବିଜୟ ବାନା

୨୦୧୭ ଡିସେମ୍ବର ମାସ ପରେ ବିଜେପିକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବଡ଼ ଝଟକା ଲାଗିଥିଲା। ଏହି ସବୁ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ ଦେଇ କଂଗ୍ରେସ ବଡ଼ ଦଳ ଭାବେ ଉଭା ହୋଇଥିଲା। ରାଜସ୍ଥାନରେ ବିଜେପି ବିଜୟରେ ବ୍ରେକ୍ ଦେଇ କଂଗ୍ରେସ ନେତା ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ।

ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଭାବେ ନିର୍ବାଚନ ଜିତିଥିଲା। ଫଳରେ ପୂର୍ବରୁ ବିଜେପି ଶାସିତ ରାଜ୍ୟ ଭାବେ ପରିଚିତ ହେଉଥିବା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ନିଜର ବିଜୟ ବାନା ଉଡାଇଥିଲା।ବିଜେପି ହାତକୁ ଖସିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ

ଚଳିତ ବର୍ଷ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନେଇ ବିଜେପି ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ମହାରାଷ୍ଟ୍ରରେ ବିଜେପି ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଲକ୍ଷ୍ୟ ରଖିଥିଲାବେଳେ ଏହାକୁ ନେଇ ଅସନ୍ତୋଷ ହୋଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ରାଜ୍ୟରେ ଫିପ୍ଟି-ଫିପ୍ଟି ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ଧବ ଦାବି କରିଥିଲେ। ତେବେ ଏଭଳି ଦାବିକୁ ବିଜେପି ମାନିବାକୁ ରାଜିନଥିଲା। ଏହାପରେ ଦୀର୍ଘ ଏକମାସର ବ୍ୟବଧାନ ପରେ ଶିବସେନା-କଂଗ୍ରେସ ଓ ଏନସିପି ମିଶି ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ଗଠନ କରିଥିଲେ। ଫଳରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଉଦ୍ଧବ ଠାକରେ। ଏହାପରେ ମହାରାଷ୍ଟ୍ରର ଶାସନ କ୍ଷମତା ମଧ୍ୟ ବିଜେପି ହାତରୁ ଖସି ଯାଇଥିଲା।ଜମ୍ମୁ କଶ୍ମୀରରେ ଭାଙ୍ଗିଲା ବିଜେପି- ପିଡିପି ମେଣ୍ଟ

୨୦୧୪ରେ ଜମ୍ମୁକଶ୍ମୀର ବିଧାନସଭା ପାଇଁ ହୋଇଥିଲା ନିର୍ବାଚନ। ଏହି ନିର୍ବାଚନରେ ମଧ୍ୟ ମୋଦୀ ମ୍ୟାଜିକ୍ କାମ କରିଥିଲା। ପିଡିପି ସହିତ ମେଣ୍ଟ କରି ବିଜେପି କ୍ଷମତାକୁ ଆସିଥିଲା। ବିଜେପି ସହଯୋଗରେ ପିଡିପି ନେତ୍ରୀ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ତିନିବର୍ଷ ପରେ ଜମ୍ମୁକଶ୍ମୀର ରାଜନୀତିକ ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପିଡିପି- ବିଜେପି ମେଣ୍ଟ  ଭାଙ୍ଗିଯାଇଥିଲା। ଏହାପରେ ବିଜେପି ଶାସିତ ରାଜ୍ୟରୁ ବାଦ୍ ପଡ଼ିଥିଲା ଜମ୍ମୁକଶ୍ମୀର।ଝାଡଖଣ୍ଡରେ ଗଠନ ହେବ ସୋରେନ୍ ସରକାର

ଏହି ସମସ୍ତ ନିର୍ବାଚନ ପରେ ଗତ ସୋମବାର ଝାଡ଼ଖଣ୍ଡ ବିଧାନସଭାର ଫଳାଫଳ ଆସିଛି। ଏଥିରେ ମଧ୍ୟ ଫେଲ୍ ମାରିଛି ବିଜେପି। ଝାଡ଼ଖଣ୍ଡର ମହାମେଣ୍ଟ ଆଗରେ ପରାଜୟ ବରଣ କରିଛି ବିଜେପି। ଫଳରେ ଏବେ ଝାଡ଼ଖଣ୍ଡରେ ଜେଏମ୍ଏମ୍, କଂଗ୍ରେସ ଓ ଆରଜେଡିକୁ ନେଇ  ଗଠିତ ମହାମେଣ୍ଟ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏହି ମହାମେଣ୍ଟର ନେତୃତ୍ୱ ନେବେ ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନ୍।

ଦିନେ ଦେଶର ୧୯ଟି ରାଜ୍ୟରେ ଶାସନ କରୁଥିବା ବିଜେପି ଏବେ ମାତ୍ର ୮ଟି ରାଜ୍ୟରେ ଶାସନ କରୁଛି। ବିଜେପି ଶାସିତ ରାଜ୍ୟଗୁଡ଼ିକ ଧିରେ ଧିରେ କଂଗ୍ରେସ କିମ୍ବା ଅନ୍ୟ କୌଣସି ଆଞ୍ଚଳିକ ଦଳର କବଜାକୁ ଚାଲିଯାଉଛି। ଏପରିକି ଏହି ସବୁ ନିର୍ବାଚନର ଫଳାଫଳ ଆଗକୁ ହେବା ଥିବା ପଶ୍ଚିମବଙ୍ଗ ଓ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଭାବ ପକାଇବ ବୋଲି କୁହାଯାଉଛି।

Comment