ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଝାଡଖଣ୍ଡରେ ବିଜେପି ଷ୍ଟ୍ରାଟେଜି ଫେଲ୍‌।

ଗତ ୬ ମାସ ତଳେ ହୋଇଥିବା ସାଧାରଣ ନିର୍ବାଚନରେ ଝାଡଖଣ୍ଡରୁ ଅଧିକ ଭୋଟ ପାଇଥିଲା ବିଜେପି। ମୋଟ ୧୪ଟି ଲୋକସଭା ଆସନରୁ ବିଜେପି ଏକାକୀ ୧୧ଟି ଆସନ ପାଇଥିଲା। ହେଲେ ୬ ମାସ ପରେ ଝାଡଖଣ୍ଡ ଗଣିତ ବଦଳି ଯାଇଛି। ଯେଉଁ ବିଜେପିକୁ ଝାଡଖଣ୍ଡବାସୀ ୬ ମାସ ତଳେ ଭୋଟ ଅଜାଡ଼ି ଦେଇଥିଲେ ସେହି ବିଜେପିକୁ ବିଧାନସଭା ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଛନ୍ତି।

ନିର୍ବାଚନ ଫଳ ବାହାରିବାର ଗୋଟିଏ ଦିନ ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଝାଡଖଣ୍ଡବାସୀ କାହିଁକି ତାଙ୍କ ମୁଡ୍‌ ପରିବର୍ତ୍ତନ କଲେ ତାକୁ ନେଇ କାରଣ ଖୋଜା ଚାଲିଛି। ଗତ ୫ ବର୍ଷ ଧରି ଝାଡଖଣ୍ଡରେ ବିଜେପି ସରକାର ଚାଲିଥିଲା। ଏବେ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ରହିଛି। ହେଲେ ଭୋଟର କାହିଁକି ବିଜେପିକୁ ଗ୍ରହଣ କଲେନି ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

ରଘୁବରଙ୍କ ଉପରେ ଖପ୍ପା?

ଦୀର୍ଘ ବର୍ଷର ଆନ୍ଦୋଳନ ପରେ ଝାଡଖଣ୍ଡ ୨୦୦୦ ମସିହାରେ ନୂଆ ରାଜ୍ୟର ମାନ୍ୟତା ପାଇଥିଲା। କେନ୍ଦ୍ରରେ ଅଟଳବିହାରୀ ବାଜପେୟୀଙ୍କ ସରକାର ଚାଲିଥିବା ବେଳେ ଝାଡଖଣ୍ଡ ନୂଆ ରାଜ୍ୟ ହୋଇଥିଲା। ଝାଡଖଣ୍ଡ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ବିଜେପି ପ୍ରଥମେ ବାବୁଲାଲ ମାର୍ଣ୍ଡି ଏବଂ ପରେ ଅର୍ଜୁନ ମୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।

ଅର୍ଜୁନ ମୁଣ୍ଡା ହେଉଛନ୍ତି ଲୋକପ୍ରିୟ ଆଦିବାସୀ ନେତା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାଙ୍କର ଭଲ ପ୍ରଭାବ ରହିଥିଲା। ହେଲେ ୨୦୧୪ରେ ଅର୍ଜୁନ ମୁଣ୍ଡାଙ୍କୁ ମୋଦୀ ଏବଂ ଶାହ ଯୋଡ଼ି ସାଇଡ୍‌ ଲାଇନ୍‌ କରି ଦେଇଥିବା କୁହାଯାଉଛି। ୨୦୧୪ରେ ବିଜେପି କ୍ଷମତାକୁ ଆସିଲା ସତ, ହେଲେ ଅର୍ଜୁନ ମୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳି ନଥିଲା।

ମୋଦୀ-ଶାହ ଯୋଡ଼ିଙ୍କ ନଜରକୁ ଆସିଥିଲେ ରଘୁବର ଦାସ। ବିଜେପି ଏଠି ମୁଖ୍ୟମନ୍ତ୍ରୀ ପଦରେ ଅଣ ଆଦିବାସୀଙ୍କୁ ବସାଇଥିଲା। ଏହାକୁ ନେଇ ଆଦିବାସୀଙ୍କ ମନରେ ଅସନ୍ତୋଷ ରହିଥିଲା।

ଝାଡଖଣ୍ଡର ଆଦିବାସୀ ଅଞ୍ଚଳରେ ମୋଟ ୨୮ଟି ବିଧାନସଭା ଆସନ ରହିଛି। ସେଥିମଧ୍ୟରୁ ବିଜେପି ଓ ତାର ସହଯୋଗୀ ୧୩ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଆଦିବାସୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ରହିଥିଲା।

ବିଜେପି ସରକାର ଅମଳରେ ଜମି ଅଧିଗ୍ରହଣ ଆଇନ ଆସିଥିଲା। ଏହି ଆଇନକୁ ଆଦିବାସୀମାନେ ବିରୋଧ କରିଥିଲେ। କାରଣ ସେମାନଙ୍କ ଅଧିକାର ଏହି ଆଇନ କ୍ଷୁର୍ଣ୍ଣ କରିବ ବୋଲି ସେମାନେ ଅଭିଯୋଗ କରିଥିଲେ। ଏଣୁ ଏହାର ପ୍ରତିଫଳନ ଭୋଟର ଚଳିତ ନିର୍ବାଚନରେ ଦେଖାଇଥିବା କୁହାଯାଉଛି।

ମୋଦୀଙ୍କୁ ଦେଲେ, ରଘୁବରଙ୍କୁ ନା

ଗତ ୬ ମାସ ତଳେ ହୋଇଥିବା ସାଧାରଣ ନିର୍ବାଚନରେ ଝାଡ଼ଖଣ୍ଡବାସୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ବିଜେପିର ୧୧ ଜଣ ପ୍ରାର୍ଥୀ ଝାଡଖଣ୍ଡରୁ ନିର୍ବାଚନ ଜିତିଥିଲେ। ହେଲେ ଏହି ଫାକ୍ଟର ବିଧାନସଭା ନିର୍ବାଚନରେ କାମ କରିନି।

ସାଧାରଣ ନିର୍ବାଚନ ବେଳେ ଝାଡଖଣ୍ଡବାସୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଏଣୁ ସେ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ହେଲେ ରାଜ୍ୟରେ ବିଜେପି ଆଉ ଥରେ ସରକାର ଗଠନ କରୁ ବୋଲି ଭୋଟର ଚାହିଁ ନାହାନ୍ତି। ବିଶେଷକରି ରଘୁବାର ଦାସଙ୍କୁ ଝାଡଖଣ୍ଡ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ୫ ବର୍ଷର ଶାସନ ଭିତରେ ରଘୁବର ଦାସଙ୍କ ଭାବମୂର୍ତ୍ତି ମଳିନ ପଡ଼ିଥିବା କୁହାଯାଉଛି। ସେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଆଦିବାସୀ ବିରୋଧୀ ବୋଲି କୁହାଯାଉଛି। ଏଣୁ ରଘୁବରଙ୍କୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁ ନାହାନ୍ତି ଭୋଟର।

ଲୋକଙ୍କ ହୃଦୟ ଜିତିଲା ଆଞ୍ଚଳିକ ପ୍ରସଙ୍ଗ

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉ କି ତିନି ତଲାକ୍‌ ଉଚ୍ଛେଦ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉ କି ନାଗରିକତା ସଂଶୋଧନ ଆଇନ। ଏସବୁ ମୋଦୀ ସରକାରଙ୍କ ଅମଳରେ ହିଁ ହୋଇଛି। ଏହି ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ଲଢ଼ିଥିଲା ବିଜେପି।

ହେଲେ ଏହା ଭୋଟରଙ୍କୁ ପ୍ରଭାବିତ କରି ପାରିନି। ବିଜେପି ଜାତୀୟ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଯାଇଥିବା ବେଳେ କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ଆଞ୍ଚଳିକ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା। ଆଦିବାସୀଙ୍କ ଅଧିକାର କଥା କହିଥିଲେ କଂଗ୍ରେସ ଓ ଜେଏମ୍‌ଏମ୍‌ ନେତା।

ତାଛଡ଼ା ନିର୍ବାଚନ ବେଳେ ହେମନ୍ତ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରାଯାଇଥିଲା। ହେମନ୍ତ ଆଦିବାସୀ ଅଞ୍ଚଳରେ ବେଶ୍‌ ପରିଚିତ। ଏଣୁ ବିଜେପି ଅପେକ୍ଷା ହେମନ୍ତ ସୋରେନ୍‌ଙ୍କ ଉପରେ ଭୋଟର ଅଧିକ ଆକର୍ଷିତ ହୋଇଥିଲେ।

Comment