ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଝାଡ଼ଖଣ୍ଡରେ ଝଟ୍‌କା ପରେ ରାଜ୍ୟମାନଙ୍କରେ ବିଜେପି ତା’ର ରଣନୀତି ବଦଳାଇବାକୁ ଯାଉଛି। ବିଶେଷକରି ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଦଳ ପୁନର୍ବିଚାର କରିବ। ବିଗତ ଦିନରେ ମୁଖ୍ୟମନ୍ତ୍ରୀମାନଙ୍କୁ ଦଳ ପକ୍ଷରୁ ଯେଉଁ ‘ଫ୍ରି ହ୍ୟାଣ୍ଡ’ ଦିଆଯାଉଥିଲା ତାହାର ସମୀକ୍ଷା କରିବା ପାଇଁ ଦଳ ଚାହୁଁଛି।

ଅବଶ୍ୟ ଝାଡ଼ଖଣ୍ଡରେ ବିଜେପି ଓ ରଘୁବର ଦାସ ବିରୋଧୀ ହାୱା ସମ୍ପର୍କରେ ବିଜେପି ଯେ ଆଗୁଆ  ସୂଚନା ପାଇନଥିଲା ତାହା ନୁହେଁ। ଦଳର କେନ୍ଦ୍ର ନେତାମାନେ ଏହା ଭଲ ଭାବରେ ଜାଣିଥିଲେ ଯେ, ଏଥର ନିର୍ବାଚନ ଜିତିବା କଷ୍ଟ ଓ କୌଣସି ଏକ ଚମତ୍କାର ଘଟଣା ହିଁ ପରିସ୍ଥିତିକୁ ବଦଳାଇ ଦେଇପାରିବ। ଝାଡ଼ଖଣ୍ଡରେ ବିଜେପି ଦୁଇ ନମ୍ବରକୁ ଖସି ଆସିବ ଓ ଦଳକୁ ଏଥିପାଇଁ  ଫଳ ଭୋଗିବାକୁ ପଡ଼ିବ ଏକଥା ମଧ୍ୟ ନେତାମାନେ ଜାଣିଥିଲେ। ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମ୍ପର୍କରେ ଯେଉଁ ମତାମତ ମିଳିଥିଲା ସେଥିରେ ତାଙ୍କୁ ଅହଙ୍କାରୀ, ଚିଡ଼ଚିଡ଼ା ସ୍ୱଭାବର ଓ ଘମଣ୍ଡ ବୋଲି କର୍ମୀମାନେ କହୁଥିବା କଥା ମଧ୍ୟ କେନ୍ଦ୍ର ନେତାମାନେ ଜାଣିଥିଲେ।

ଝାଡ଼ଖଣ୍ଡ ହାତରୁ ଖସିବା ପରେ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀମାନଙ୍କୁ ଏଣିକି ଅବାଧ କ୍ଷମତା ନଦେବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ବିଜେପି ମୁଖ୍ୟମନ୍ତ୍ରୀମାନେ ଟିକେଟ ଦେବାଠାରୁ ଆରମ୍ଭ କରି ଅନ୍ୟ ଦଳ ସହିତ କି ପ୍ରକାର ମେଣ୍ଟ ହେବ ସେ କଥା ମଧ୍ୟ ନିର୍ଦ୍ଧାରଣ କରିଥା’ନ୍ତି। ଏହି ଦୃଷ୍ଟିରୁ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ବିଜେପି ମୁଖ୍ୟମନ୍ତ୍ରୀମାନେ ପୂରାପୂରି ଅଲଗା। ବିଜେପିର ମୁଖ୍ୟମନ୍ତ୍ରୀମାନଙ୍କୁ ଯେତିକି ଖୋଲହାତ ମିଳିଥାଏ କଂଗ୍ରେସ ମୁଖ୍ୟମନ୍ତ୍ରୀ ସେକଥା ଚିନ୍ତା ବି କରିପାରିବେ ନାହିଁ। ତେବେ ବିଜେପିର ମୁଖ୍ୟମନ୍ତ୍ରୀମାନେ ପ୍ରଚଣ୍ଡ କ୍ଷମତା ଭୋଗ କରୁଥିବା ବେଳେ ଏହା ଦଳ ପାଇଁ କ୍ଷତି ବି ହୋଇ ଆସିଛି। ଏହି କାରଣରୁ ନେତାମାନଙ୍କର ଅହଙ୍କାର ଓ ପ୍ରଚଣ୍ଡ ପ୍ରଭାବକୁ ରୋକିବା ପାଇଁ ଦଳ ଏବେ ପୁନଃବିଚାର କରିବା ପାଇଁ ଇଚ୍ଛା କରୁଛି।

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ଆସାମ ଓ ଉତ୍ତରାଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ହେବାର ଅଛି। କେନ୍ଦ୍ର ସ୍ତରରେ ମତ ପ୍ରକାଶ ପାଇଛି ଯେ, ରାଜ୍ୟ ସ୍ତରର ନେତାମାନଙ୍କୁ ଏତେ କ୍ଷମତା ଦିଆଯିବା ଉଚିତ୍ ନୁହେଁ ଓ ଏହା ଉପରେ ଅଙ୍କୁଶ ଲଗାଯିବା ଦରକାର।

ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବ୍ରାଣ୍ଡ ମୋଦୀ ଓ ଜାତୀୟ ପ୍ରସଙ୍ଗ ରାଜ୍ୟ ନିର୍ବାଚନରେ କାମ ଦେବ ନାହିଁ। ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଭାପତି ଅମିତ ଶାହ ନିର୍ବାଚନ ପ୍ରଚାରରେ କୌଣସି ଢିଲା କରିନାହାନ୍ତି, ହେଲେ ଗୋଟିଏ ମତ ପ୍ରକାଶ ପାଇଛି ଯେ ଗୃହ ମନ୍ତ୍ରୀ ଭାବରେ ଅମିତ ଶାହ ସରକାରରେ ବେଶୀ ସମୟ ଦେଇଥିବା ହେତୁ ଦଳର ନିର୍ବାଚନ ରଣନୀତି ଫେଲ ମାରିଛି।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment