ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁ ତୁଙ୍ଗ ନେତାଙ୍କୁ ହରାଇଛି। ଏହା ବିଜେପକୁ ଏକ ବଡ଼ କ୍ଷତି ପହଞ୍ଚାଇଛି। ଜାଣନ୍ତୁ କେଉଁ ନେତାଙ୍କୁ ହରାଇଲା ବିଜେପି ଓଡ଼ିଶାଲାଇଭ୍‌ ୨୦୧୯ଫ୍ଲାସବ୍ୟାକ୍‌ ରିପୋର୍ଟରେ।

ମନୋହର ପାରିକର

ଗୋଆ ମୁଖ୍ୟମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଲୋକଙ୍କ ହୃଦୟରେ ରାଜ କରୁଥିବା ମନୋହର ପାରିକରଙ୍କ ଦେହାନ୍ତ ୨୦୧୯ ମାର୍ଚ୍ଚ ୧୭ରେ ହୋଇଥିଲା। କ୍ୟାନସରରେ ପୀଡ଼ିତ ଥିବା ଯୋଗଁ ତାଙ୍କର ମୃତ୍ୟୁ ହୋଇଥିଲା। ପାରିକର ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ। ମୋଦିଙ୍କ ପ୍ରଥମ ପାଳି ସରକାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ପାରିକରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା।

ସୁଷମା ସ୍ୱରାଜ

୨୦୧୯, ଅଗଷ୍ଟ ୬ରେ  ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା। ୨୦୧୪ରୁ ୨୦୧୯ ଯାଏଁ ସେ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ୱରେ ରହିଥିଲେ। ୧୯୫୨ ଫେବ୍ରୁଆରି ୧୪ରେ ଜନ୍ମ ହୋଇଥିବା ସୁଷମା ରାଜନୀତିରେ ଲମ୍ବା ସମୟ ଧରି ସଫଳତାର ସହ ଯାତ୍ରା କରିଥିଲେ। ୧୯୭୭ ମସିହାରେ ସୁଷମାଙ୍କୁ ଯେତେବେଳେ ୨୫ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ।

ହରିୟାଣାର ଅମ୍ବାଲା ବିଧାନସଭା ଆସନରୁ ସୁଷମା ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇ ଦେଶର ଯୁବ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ହରିୟାଣାର ଦେବୀଲାଲ ସରକାରରେ ସୁଷମା ମନ୍ତ୍ରୀ ରହି ଆଉ ଏକ ସଫଳତାର ପାହାଚ ଚଢ଼ିଥିଲେ। ହରିୟାଣା ରାଜନୀତିରେ ସକ୍ରିୟ ଥିବା ସୁଷମା ନିଜ ଦକ୍ଷତା ବଳରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୬ରେ ସୁଷମା ଦକ୍ଷିଣ ଦିଲ୍ଲୀରୁ ସାଂସଦ ରହିଥିଲେ। ଅଟଳବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୁଷମା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମନ୍ତ୍ରୀ ରହିଥିଲେ। ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସୁଷମା ୧୯୯୮ରେ ଦିଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ହିଁ ସୁଷମା ଦିଲ୍ଲୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏହାପରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହେବା ପରେ ସୁଷମା ପୁଣି ସାଂସଦ ଭାବେ ଲଢ଼ିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ସୁଷମା ବିଦିଶା ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ିଥିଲେ। ୨୦୦୯ରେ କେନ୍ଦ୍ରରେ ଉପା ସରକାର କ୍ଷମତାରେ ଥିବାରୁ ସୁଷମା ବିରୋଧୀ ଆସନରେ ରହିଥିଲେ।

ଅରୁଣ ଜେଟ୍‌ଲୀ

ଭାରତୀୟ ରାଜନୀତିର ଜଣେ ପ୍ରମୁଖ ରାଜନେତା ତଥା ମୋଦୀ ସରକାରଙ୍କ ପ୍ରଥମ ପାଳିର ଅର୍ଥମନ୍ତ୍ରୀ ଥିଲେ ଅରୁଣ ଜେଟଲୀ। ଭାରତୀୟ ଜନତା ପାର୍ଟିର ଜଣେ ମାର୍ଗଦର୍ଶକ ଭାବେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ବାଜପେୟୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସେ ଗୁରୁତ୍ଵପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ଏହାସହ ସେ ସୁପ୍ରିମ୍‌ କୋର୍ଟର ଜଣେ ଖ୍ୟାତନାମା ଆଇନଜୀବୀ ଥିଲେ।

୨୦୧୯ ଅଗଷ୍ଟ ୯ ତାରିଖରେ ନିଶ୍ଵାସ ନେବାରେ ଅସୁବିଧା ହେବାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଅଗଷ୍ଟ ୨୪ରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଭାରତୀୟ ରାଜନିତୀରେ ଶୋକର ଛାୟା ଖେଳାଇ ଦେଇଛି।

ମାଙ୍ଗେ ରାମ ଗର୍ଗ

ବିଜେପିର ଜଣେ ବରିଷ୍ଠ ନେତା ଥିଲେ ବିଧାୟକ ମାଙ୍ଗେ ରାମ ଗର୍ଗ। ସେ ବଜେପିର ଦିଲ୍ଲୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ୨୦୧୯, ଜୁଲାଇ ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ତର ଦିଲ୍ଲୀର ବାଲାଜୀ ଆକ୍ସନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment