ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍‌। କଂଗ୍ରେସ-ଜେଏମ୍‌ଏମ୍‌-ଆର୍‌ଜେଡି ମେଣ୍ଟକୁ ବହୁମତ ମିଳିବା ପରେ ହେମନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହି ତିନି ଦଳ ଭିତରେ ମେଣ୍ଟ ହୋଇଥିଲା। ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଥିଲେ ହେମନ୍ତ ସୋରେନ୍‌।

ଦ୍ୱିତୀୟ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ୍‌। ସାରା ଦେଶରେ ଏବେ ହେମନ୍ତ ସୋରେନ୍‌ ବିଷୟରେ ଚର୍ଚ୍ଚା ଚାଲିଛି। ତେବେ ହେମନ୍ତ ସୋରେନ୍‌ କିଏ ଜାଣନ୍ତୁ?

ହେମନ୍ତ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ସିବୁ ସୋରେନଙ୍କ ପୁଅ। ୧୯୭୫ ଅଗଷ୍ଟ ୧୦ରେ ହେମନ୍ତ ରାମଗଡ଼ ଜିଲ୍ଲାର ନେମ୍ରାରେ ଜନ୍ମ ହୋଇଥିଲେ। ସେ ମୋନିକାଲ ଇଞ୍ଜିନିୟରିଂ ପାସ୍‌ କରିଥିବା ଜଣାପଡ଼ିଛି। କିନ୍ତୁ ସେ ଯୁକ୍ତ ୨ ପାସ୍‌ କରିଥିବା ୨୦୦୫ ଓ ୨୦୦୯ ନିର୍ବାଚନୀ ସତ୍ୟପାଠରେ ଜଣାଇଥିଲେ।

୨୦୦୫ରେ ହେମନ୍ତ ସୋରେନ୍‌ ନିର୍ବାଚନ ଲଢ଼ିଥିଲେ। ଦୁମୁକା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ହେମନ୍ତ। ହେଲେ ସେ ଜେଏମ୍‌ଏମ୍‌ର ବିଦ୍ରୋହୀ ନେତା ଷ୍ଟିଫେନ୍‌ ମାର୍ଣ୍ଡିଙ୍କଠାରୁ ପରାଜିତ ହୋଇଥିଲେ।

୨୦୦୯ରେ ରାଜନୀତିରେ ହେମନ୍ତଙ୍କ ଭାଗ୍ୟ ଖୋଲିଥିବା କୁହାଯାଏ। ତାଙ୍କ ବଡ଼ ଭାଇଙ୍କର ହଠାତ ଦେହାନ୍ତ ପରେ ହେମନ୍ତଙ୍କୁ ଦଳର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା। ସିବୁ ସୋରେନଙ୍କ ବଡ଼ ପୁଅ ଦୁର୍ଗାଙ୍କୁ ନେଇ ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା। ସିବୁ ସୋରେନଙ୍କ ପରେ ଦଳର ମଙ୍ଗ ଦୁର୍ଗା ଧରିବେ ବୋଲି କୁହାଯାଉଥିଲା। ହେଲେ ତାଙ୍କର ଦେହାନ୍ତ ହୋଇଯିବାରୁ ହେମନ୍ତ ଜେଏମ୍‌ଏମ୍‌ ମଙ୍ଗ ଧରିଥିଲେ।

୨୦୦୯ରେ ହେମନ୍ତ ରାଜ୍ୟସଭା ଯାଇଥିଲେ। ୨୦୦୯ ଜୁନ୍‌ ୨୪ରୁ ୨୦୧୦ ଜାନୁଆରି ୪ ଯାଏଁ ହେମନ୍ତ ରାଜ୍ୟସଭା ସାଂସଦ ରହିଥିଲେ। ଯେତେବେଳେ ବିଜେପି-ଜେଏମ୍‌ଏମ୍‌-ଜେଡିୟୁର ମେଣ୍ଟ ସରକାର ଥିଲା ସେତେବେଳେ ହେମନ୍ତ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦୧୩ରେ ହେମନ୍ତ ପ୍ରଥମ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ ଯାଏଁ ସେ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କୁ ଝାଡ଼ଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ କୁହାଯାଉଥିଲା। ବର୍ତ୍ତମାନ ସେ ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment