ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଙ୍ଗଳବାର ସନ୍ଧ୍ୟାରୁ ପଶ୍ଚିମ ଓଡ଼ିଶାରେ ବର୍ଷା
  • ୨ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା
  • ୩ରେ ଉତ୍ତର ଓଡ଼ିଶାରେ ବର୍ଷା
  • ବର୍ଷା ପ୍ରଭାବରେ ଶୀତର ପ୍ରକୋପ କମିପାରେ
  • ୮ରୁ ହେବ ପାଗ ପରବର୍ତ୍ତନ

‘‘ମଙ୍ଗଳବାରଠୁ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବ। ଜାନୁଆରି ୪ ତାରିଖ ଯାଏଁ ଶୀତ କମିବ। ତେବେ ଡିସେମ୍ବର ୩୧ ସନ୍ଧ୍ୟାରୁ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ୨ ତାରିଖରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ବେଳେ ୩ରେ ଉତ୍ତର ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହିଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ କୁମାର ସାହୁ।

ଗତ କିଛିଦିନ ହେଲା ଜାଡ଼ରେ ଥରୁଛି ଓଡ଼ିଶା। ଦିନରେ ବି ଘରୁ ବାହାରି ପାରୁ ନାହାନ୍ତି ଲୋକେ। ସକାଳ ୧୦ଟା ଯାଏଁ କୁହୁଡ଼ି ସମଗ୍ର ପରିବେଶକୁ ଘୋଡ଼େଇକି ରଖୁଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଅସହ୍ୟ ଶୀତ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ପାଣିପାଗ ବିଜ୍ଞାନୀ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ ବିଭାଗର ନିର୍ଦ୍ଦେଶକ ଶରତ ସାହୁଙ୍କୁ।

ଶରତ ସାହୁ କହିଛନ୍ତି, ‘‘ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଲେ ରାତିର ତାପମାତ୍ରା ମଧ୍ୟ ଅଧିକ ରହିଥାଏ। ଯଦି ଆର୍ଦ୍ରତାର ପରିମାଣ କମ୍‌ ରୁହେ ତାହାଲେ ରାତିର ତାପମାତ୍ରା ମଧ୍ୟ କମ୍‌ ରୁହେ। ଉତ୍ତର ପଶ୍ଚିମ ଭାରତରୁ ପଶ୍ଚିମା ବାୟୁ ପ୍ରବାହ ଆସିଲେ ଓଡ଼ିଶାରେ ଶୀତ ଅନୁଭୂତ ହୋଇଥାଏ। ଏବେ ପଶ୍ଚିମା ବାୟୁ ପ୍ରବାହ ସହିତ ବାୟୁମଣ୍ଡଳର ଉପରିଭାଗରେ ଥିବା ଜେଡ୍‌ ଷ୍ଟ୍ରିମ୍‌ ଦକ୍ଷିଣ ମୁହାଁ ହୋଇଛି। ଏହାର ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଛି।’’

ଭାରତର ଉତ୍ତର ପଶ୍ଚିମ ଦିଗରେ ରହୁଥିବା ଦେଶରୁ ଥଣ୍ଡା ପବନ ଆସୁଛି। ଏହି ପବନ ପଶ୍ଚିମା ବାୟୁ ସହ ମିଶିଯିବାରୁ ଥଣ୍ଡାର ପ୍ରକୋପ ବଢ଼ି ଯାଇଥିବା କହିଛନ୍ତି ଶ୍ରୀ ସାହୁ।

ସେ ଆହୁରି କହିଛନ୍ତି, ‘‘୪ ତାରିଖ ଯାଏଁ ବର୍ଷାର ପ୍ରଭାବ ଓଡ଼ିଶାରେ ରହିପାରେ। ଫଳରେ ଶୀତର ପ୍ରକୋପ କମିପାରେ। ୫ ତାରିଖ ପରେ ପୁଣି ଶୀତ ବଢ଼ିବାର ସମ୍ଭାବନା ରହିଛି। ୮ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ।’’

Comment