ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଘଟଣା। ୨୦୧୯ରେ ନିଜ ପାଠ ପଢ଼ାଇବା ଶୈଳୀକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ ଏହି ସାର୍‌-ଦିଦି। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

ରାତି ପାହିଲେ ସରିଯିବ ୨୦୧୯। ନୂଆବର୍ଷ ଅପେକ୍ଷାରେ ରହିଛନ୍ତି ବିଶ୍ଵବାସୀ। ଏହି ବର୍ଷ କିଛି ଘଟଣା ବେଶ୍‌ ଚର୍ଚ୍ଚା ହୋଇଥିଲା। ସେହିପରି ଓଡ଼ିଶାର କିଛି ସ୍କୁଲରେ ସାର-ଦିଦି ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲେ। ନିଜ ଭିନ୍ନ ଶୈଳୀରେ ପାଠ ପଢ଼ାଇବା ଅନ୍ଦାଜ ଯୋଗୁଁ ସେମାନେ ପରିଚିତ ହେବା ସହ ପ୍ରଶଂସାର ପାତ୍ର ହୋଇଥିଲେ।

କିଏ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଆକୃଷ୍ଟ କରିବାକୁ ଭିନ୍ନ ପ୍ରୟାସ ଆପଣାଉଥିବା ବେଳେ ଆଉ କିଏ ପିଲାଙ୍କ ଭବିଷ୍ୟତ ପାଇଁ ନଦୀ ପାର୍‌ ହୋଇ ସ୍କୁଲକୁ ଆସୁଥିବାର ଦୃଶ୍ୟ ଏହି ବର୍ଷ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ଆସନ୍ତୁ ନଜର ପକାଇବା ସେହିଭଳି କିଛି ଘଟଣା ଉପରେ।

ପିଲାଙ୍କୁ ପଢ଼ାଇବାକୁ ଉଚ୍ଛୁଳା ନଦୀ ପାର୍‌ ହେଲେ ଦିଦି

ନଦୀରେ ବଢ଼ି ପାଣି। କେଉଁଠି ବେକେ ତ କେଉଁଠି ଅଣ୍ଟାଏ। ଏଭଳି ବିପଦ ଭିତରେ ଜୀବନକୁ ବାଜି ଲଗାଇ ଢେଙ୍କାନାଳ ସାପୁଆ ନଦୀ ପାର ହୋଇ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବାକୁ ଯାଆନ୍ତି ବିନି ଦିଦି। ଉଚ୍ଛୁଳା ନଦୀ ଭିତରେ ସବୁଦିନ ଭ୍ୟାନିଟ ବ୍ୟାଗ ଉପରକୁ ଟେକି ନଦୀ ପାର ହୋଇଥାନ୍ତି ଦିଦି। ନଦୀରେ ଗୋଡ଼ ଖସିଲେ ଜୀବନ ଯିବାର ସମ୍ଭାବନ ଅଧିକ ହେଲେ ଏହାକୁ ଖାତିର ନକରି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ନଦୀ ପାର ହୋଇ ନିତିଦିନ ସ୍କୁଲ ଯାଆନ୍ତି ଦିଦି। ବିନି ଦିଦିଙ୍କ ପୂରା ନାଁ ବିନୋଦିନି ସାମଲ। ଘର ଢେଙ୍କାନାଳ ଜିଲ୍ଲା ଜରିପାଳ ଗାଁରେ। ଦୀର୍ଘ ୧୦ ବର୍ଷ ହେବ ନଦୀ ଆରପଟେ ଥିବା ରଥିଆପାଳ ଉଚ୍ଚ ପ୍ରାଥମିକ ସ୍କୁଲକୁ ଏଭଳି ଯିବା ଆସିବା କରୁଛନ୍ତି। ସେଠାରେ ୟୁନିଫର୍ମ ବଦଳାଇ କୁନିକୁନି ପିଲାଙ୍କୁ ପାଠ ପଢ଼ାଇଥାନ୍ତି। ଏହି ଘଟଣା ଏହି ବର୍ଷ ବେଶ ଚର୍ଚ୍ଚା ହୋଇଥିଲା। ଏଭଳି କାର୍ଯ୍ୟ ପାଇଁ ଦିଦିଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା।

ଚର୍ଚ୍ଚାରେ ଥିଲେ କୋରାପୁଟର ଡ୍ୟାନ୍ସିଂ ସାର୍‌

୨୦୧୯ରେ ଚର୍ଚ୍ଚାରେ ଥିଲେ କୋରାପୁଟର ଡାନ୍ସିଂ ସାର୍। ମନୋରଂଜନ ମାଧ୍ୟମରେ ନାଚି କୁଦି ପିଲାଙ୍କୁ ପାଠ ପଢାଇବା ସହ ସେମାନଙ୍କୁ ସ୍କୁଲ ମୁହାଁ କରିବାକୁ ସାରଙ୍କ ଅଭିନବ ପ୍ରୟାସ। ସାରଙ୍କ ଏହି ପ୍ରୟାସ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ସାର ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଠୀ। ସାର୍‌ ବିଭିନ୍ନ ଭଙ୍ଗୀରେ ନାଚି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟବସ୍ତୁ ବୁଝାଉଥିବା ବେଳେ ଛାତ୍ରଛାତ୍ରୀ ବି ସାରଙ୍କ ସହ ବିଭିନ୍ନ ଭଙ୍ଗୀରେ ନାଚୁଛନ୍ତି। ସାରଙ୍କ ଏପରି ପ୍ରୟାସ ଦ୍ଵାରା ଛାତ୍ରଛାତ୍ରୀ ବି କଠିନ ବିଷୟ ବସ୍ତୁକୁ ଅତି ସହଜରେ ବୁଝି ପାରୁଥିବା କହିଛନ୍ତି।

ନାଚି ନାଚି ପାଠ ପଢ଼ାଇ ଚର୍ଚ୍ଚାରେ ଥିଲେ ଆଉ ଜଣେ ସାର୍‌

ସାଧାରଣତଃ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକମାନେ ଅନେକ ବାହାନା କରି ବିଦ୍ୟାଳୟକୁ ଆସନ୍ତି ନାହିଁ, ଶିକ୍ଷାଦାନରୁ ଦୂରେଇ ରହନ୍ତି। କିନ୍ତୁ ଏହି ଅଞ୍ଚଳରେ ଏମିତି ଜଣେ ଶିକ୍ଷକ ଅଛନ୍ତି ଯିଏ ଛାତ୍ରଛାତ୍ରୀଙ୍କୁ ନାଚି ନାଚି ପାଠ ପଢ଼ାଉଛନ୍ତି। ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ଜନ୍ତାପାଇ ସ୍କୁଲର ଶିକ୍ଷକ ହରିହର ବେହେରା ଏଭଳି ନାଚ ଗୀତ ସହ ପାଠ ପଢ଼ାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶିକ୍ଷକଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନକୁ ସ୍ୱାଭିମାନ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

ବିଭିନ୍ନ କାରଣରୁ ଛାତ୍ରଛାତ୍ରୀ ଏବେ ସରକାରୀ ସ୍କୁଲରୁ ମୁହଁ ଫେରାଇ ନେଉଛନ୍ତି। ସହରାଞ୍ଚଳରେ ଅଭିଭାବକମାନେ ଘରୋଇ ସ୍କୁଲ ମୁହାଁ ହେଉଥିବା ବେଳେ ଗ୍ରାମାଞ୍ଚଳ ସ୍ଥିତି ଖରାପ ରହିଛି। ଆଉ କୋରାପୁଟ ଭଳି ଆଦିବାସୀ ଅଞ୍ଚଳର କଥା ନକହିବା ଭଲ। ଏହିଭଳି କିଛି ପଛୁଆ ଜିଲ୍ଲା ଯେଉଁଠି ଛାତ୍ରଛାତ୍ରୀ ସ୍କୁଲ ପ୍ରତି ବିମୁଖ ହେଉଛନ୍ତି ସେଠାରେ ସାର୍‌ଙ୍କ ଏପରି ଉଦ୍ୟମ ପ୍ରକୃତରେ ବେଶ ପ୍ରଶଂସନୀୟ।

Comment