ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା ଅନ୍ତର୍ଜାତୀୟ ମ୍ୟାଚରୁ ବିଦାୟ ନେଇ ସାରିଛନ୍ତି। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ କ୍ୟାରିୟର?

ଅନ୍ତର୍ଜାତୀୟ ଭାରତୀୟ ମହିଳା ହକି ଦଳରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ ସମସ୍ୟା ଯୋଗୁଁ ସେ ଅବସର ନେଇଛନ୍ତି। ବର୍ତ୍ତମାନ ସେ କେବଳ ନାଲକୋ ପାଇଁ ଘରୋଇ ମ୍ୟାଚ ଖେଳିବେ ବୋଲି ଜଣାପଡ଼ିଛି। ସୁନିତା ଭାରତର ଅନ୍ୟତମ ଶ୍ରେଷ୍ଠ ଡିପେଣ୍ଡର ଥିଲେ।

ହକି କ୍ୟାରିୟର

୨୦୦୯ରେ ଅନ୍ତର୍ଜାତୀୟ ହକି ଖେଳରେ ଡେବ୍ୟୁ କରିଥିଲେ ସୁନିତା ଲାକ୍ରା। ଏହା ମଧ୍ୟରେ ସେ ଭାରତ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି। ୨୦୧୪ ଓ ୨୦୧୮ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଜିତି ଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ। ଏହାସହ ସେ ୨୦୧୬ ଅଲିମ୍ପିକ୍ସରେ ଭାରତ ପାଇଁ ମଧ୍ୟ ସେ ପ୍ରତିନିଧିତ୍ଵ କରିଥିଲେ।

ସେ ତାଙ୍କ ହକି କ୍ୟାରିୟରରେ ୧୫୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୧୯ ମେ ମାସରେ କୋରିଆ ବିପକ୍ଷରେ ସେ ତାଙ୍କ ୧୫୦ତମ ମ୍ୟାଚ ପୂରଣ କରିଥିଲେ। ନିଜ ୧୦ ବର୍ଷ କ୍ୟାରିୟରରେ ଭାରତୀୟ ଡିଫେନ୍ସରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୁନିତା। ତାଙ୍କ ଉପସ୍ଥିତିରେ ଭାରତ ୨୦୧୬ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୭ରେ ଆୟୋଜିତ ମହିଳା ଏସିଆ କପ ହାସଲ କରିଥିଲା।

ଏହାସହ ସେ ୨୦୧୮ ମେ ମାସରେ କୋରିଆରେ ଆୟୋଜିତ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ନେଇଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ପରାସ୍ତ ହୋଇ ଦ୍ଵିତୀୟ ସ୍ଥାନରେ ରହିଥିଲା।

ବ୍ୟକ୍ତିଗତ ଜୀବନ

ସୁନିତା ୧୯୯୧ ମସିହା ଜୁନ ୧୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଚାଷୀ। ତାଙ୍କ ସମ୍ପ୍ରାଦାୟର ପୁଅ-ଝିଅ କମ୍‌ ବୟସରେ ଫୁଟବଲ ଖେଳିବାରେ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ସୁନିତାଙ୍କ ବାପା ଫୁଟବଲକୁ ଏକ ବିପଦପୂର୍ଣ୍ଣ ଖେଳ ବୋଲି ଭାବୁଥିଲେ। ତେଣୁ ସେ ସୁନିତାଙ୍କୁ ହକି ଖେଳିବାକୁ ସୁଯୋଗ ଦେଇଥିଲେ। ୬ ବର୍ଷ ବୟସରେ ସୁନିତାଙ୍କୁ ତାଙ୍କ ବାପା ରାଉରକେଲାର କ୍ରିଡ଼ା ପ୍ରାଧିକରଣରେ ନାଁ ଲେଖାଇଥିଲେ।

ଖେଳ ଜୀବନ ପରେ ୨୦୧୯ରେ ସୁନିତା ଦିପକ ଟୋପୋଙ୍କୁ ବିବାହ କରିଥିଲେ। ଦିପକ ଓଡ଼ିଶା ପୋଲିସରେ କାର୍ଯ୍ୟ କରନ୍ତି।

Comment