ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ରୋଗୀ କଲ୍ୟାଣ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବି ନେଇ କର୍ମଚାରୀମାନେ ଧାରଣ ଦେଇଥିବା କୁହାଯାଇଛି। କର୍ମଚାରୀମାନେ ଧାରଣାରେ ବସିବା ଫଳରେ ମେଡିକାଲରେ ରୋଗୀ ସେବା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଖାଲି ପଡ଼ିଥିବା ଚତୁର୍ଥ ଶ୍ରେଣୀ ପଦବୀରେ ଜିଲ୍ଲା ରୋଗୀ କଲ୍ୟାଣ ସମିତିର କର୍ମଚାରୀ ଓ ଛଟେଇ କର୍ମଚାରୀଙ୍କୁ ଥଇଥାନ କରି ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି କରାନଗଲେ ଆସନ୍ତା ୨ ତାରିଖଠାରୁ ଜିଲ୍ଲାରେ ଜେଡ୍‌ଏସ୍‌ଏସ୍‌/ଆର୍‌କେଏସ୍‌ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକୀପତ୍ର ପ୍ରଦାନ କରିଛନ୍ତି।

ଏହି କର୍ମଚାରୀମାନେ ଦୀର୍ଘ ୧୨ ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପଖଣ୍ଡ ଚିକିତ୍ସାଳୟରେ କାମ କରିଆସୁଛନ୍ତି। ହେଲେ ବର୍ତ୍ତମାନ ଅନେକ କର୍ମଚାରୀଙ୍କୁ ନିଜ କାର୍ଯ୍ୟରୁ ଛଟେଇ କରି ଦିଆଯାଉଛି। ଏହା ଫଳରେ କର୍ମଚାରୀମାନେ ପରିବାର ଭରଣ ପୋଷଣରେ କରିବାରେ କର୍ମଚାରୀମାନେ ଅସମର୍ଥ ହୋଇ ମାନସିକ ଚାପରେ ଦିନ କାଟୁଛନ୍ତି।

ବର୍ତ୍ତମାନ କର୍ମଚାରୀଙ୍କୁ ଉପଯୁକ୍ତ ଥଇଥାନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲ୍ଲା ରୋଗୀ କଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। ଘୁରୁବାର ଏହାକୁ ଜୟପୁର ବିଧାୟକ ତାରା ପ୍ରଦାସ ବାହିନିପତି ଧାରଣାସ୍ଥଳକୁ ଯାଇ କର୍ମଚାରୀଙ୍କୁ ସମର୍ଥନ ଜଣାଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment