ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜସ୍ଥାନରୁ ରାହୁଲଙ୍କ ଟାର୍ଗେଟ
- ସିଏଏ ଉପରେ ଖୋଲା ଆଲୋଚନା କରିବାକୁ ଆହ୍ୱାନ
- ସିଏଏକୁ ନେଇ ଆମେ ଇଞ୍ଚେ ବି ପଛକୁ ହଟିବୁନି
- ସିଏଏକୁ ସମର୍ଥନ ପାଇଁ ମୋବାଇଲ ନମ୍ବର ଜାରି କଲେ ଶାହ
‘‘ରାହୁଲ ବାବା ସିଏଏ ପଢ଼ିଛନ୍ତି କି ନାହିଁ? ଯଦି ପଢ଼ିଛନ୍ତି ତାହାଲେ ଆଲୋଚନା କରିବାକୁ ଆସନ୍ତୁ। ଯଦି ପଢ଼ି ନାହାନ୍ତି ତାହାଲେ ତାଙ୍କ ପାଖକୁ ଏହି ଆଇନ ଇଟାଲି ଭାଷାରେ ଅନୁବାଦ କରି ପଠାଇ ଦେବାକୁ ମୁଁ ପ୍ରସ୍ତୁତ ଅଛି’’, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଯୋଧପୁରରେ ଏକ ଜନସଭା କରିଥିଲେ। ଏହି ସଭାରେ ଉଦ୍ବୋଧନ ଦେଇ ଶାହ କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ବାଣ ମାରିଥିଲେ।
‘‘କଂଗ୍ରେସ, ମମତା ବାନାର୍ଜୀ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, କେଜରିୱାଲ ଏହି ଆଇନକୁ ବିରୋଧ କରୁଛନ୍ତି। ହେଲେ ସେମାନେ ଯେତେ ବିରୋଧ କଲେ ବି ବିଜେପି ଏଥିରେ ଇଞ୍ଚେ ବି ପଛକୁ ହଟିବନି। ସେମାନେ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସଂଖ୍ୟାଲଘୁଙ୍କ ପାଇଁ ଏହି ଆଇନ୍ କେମିତି କ୍ଷତି କରିବ ତାହା ସେମାନେ ସ୍ପଷ୍ଟ କରନ୍ତୁ’’, କହିଛନ୍ତି ଅମିତ ଶାହ।
ଜନସମର୍ଥନ ପାଇଁ ଶାହଙ୍କ ଉଦ୍ୟମ
ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବାତାବରଣ ଅଶାନ୍ତ ହୋଇ ପଡ଼ିଛି। ଆସାମଠୁ ଆରମ୍ଭ କରି ଦିଲ୍ଲୀରେ ନିଆଁ ଜଳିଛି। ସିଏଏ ବିରୋଧରେ ମାହୋଲ ପୂରା ସରଗରମ ରହିଥିବା ବେଳେ ଅମିତ ଶାହ ଜନସମର୍ଥନ ଯୋଗାଡ଼ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯୋଧପୁରରେ ଅନୁଷ୍ଠିତ ସଭାରେ ଶାହ ଏକ ଏକ ମୋବାଇଲ୍ ନମ୍ବର ଜାରି କରିଛନ୍ତି। ୮୮୬୬୨୮୮୬୬୨ ନମ୍ବରକୁ ମିସ୍କଲ୍ ଦେଇ ସିଏଏକୁ ସମର୍ଥନ କରିବା ପାଇଁ ଶାହ ଆହ୍ୱାନ ଦେଇଛନ୍ତି।
‘‘ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସୁଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍, ଇସାଇ, ପାର୍ସି ସଂଖ୍ୟାଲଘୁଙ୍କୁ ମୋଦୀ ସରକାର ସେମାନଙ୍କ ଅଧିକାର ଦେଇଛନ୍ତି। ପୂର୍ବରୁ କଂଗ୍ରେସ ଯାହା କରିପାରି ନଥିଲା ତାହା ମୋଦୀ ହିଁ କରି ଦେଖାଇଛନ୍ତି’’, କହିଛନ୍ତି ଅମିତ ଶାହ।


















