ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନକୁ ନେଇ ରାଜନୀତି ଥମୁନି। ଗୋଟିଏ ପଟେ ବିରୋଧୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଜନସମର୍ଥନ ପାଇଁ ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଯୋଧପୁରଠାରେ ସିଏଏକୁ ସମର୍ଥନ କରି ଜନସଭା କରିଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବିରୋଧର ସ୍ୱରକୁ ତେଜିଛନ୍ତି।
ସିଏଏ ବିରୋଧରେ ଏକାଠି ହେବା ପାଇଁ ସେ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଅମିତ ଶାହ ଯୋଧପୁରରେ ସିଏଏ ସମର୍ଥନରେ ଜନସଭା କରି କଂଗ୍ରେସ ସମେତ ବିରୋଧୀଙ୍କୁ ବାଣ ମାରୁଥିବା ବେଳେ ପିନରାୟ ବିଜୟନ ତାଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଶାହଙ୍କ ସଭା ସରିବା ପରେ ଖବର ଆସିଲା କେରଳ ମୁଖ୍ୟମନ୍ତ୍ରୀଙ୍କ ଅଫିସର ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଆସିଛି। ଏହି ଚିଠିରେ ସିଏଏକୁ ବିରୋଧ କରିବା ପାଇଁ ଏକାଠି ହେବାକୁ କେରଳ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗମୋହନ ରେଡ୍ଡି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀଙ୍କ ପାଖକୁ ଏହି ଚିଠି ଯାଇଛି।
ଏହାସହ କେରଳ ହେଉଛି ପ୍ରଥମ ରାଜ୍ୟ ସିଏଏ ବିରୋଧରେ ଏକ ବିଲ୍ ଆଣିଛି। ଏହି ବିଲ୍ କେରଳ ବିଧାନସଭାରେ ଗୃହୀତ ହୋଇଛି।
ସିଏଏକୁ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ନା କହିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆଇନକୁ ବିରୋଧ କରି ରାଜରାସ୍ତାକୁ ଆସିଥିଲେ।














