ଓଡ଼ିଶାଲାଇଭ୍ ବ୍ୟୁରୋ

“ଲୋକମାନେ କେବଳ ଥରେ ଭୁଲ କରିଥାନ୍ତି। ବାର୍ ବାର୍ ଭୁଲ କରନ୍ତିନାହିଁ। ଦିଲ୍ଲୀରେ କେଜ୍ରିଓ୍ଵାଲ ସରକାରକୁ ବିଶ୍ଵାସ କରି ଲୋକମାନେ ଥରେ ଭୁଲ କରିଛନ୍ତି। ହେଲେ ଏଥର ସେ ଭୁଲକୁ ଦୋହରାଇବେନି। ଦିଲ୍ଲୀରେ ଏଥର ସରକାର ଗଢ଼ିବ ବିଜେପି” କହିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ବିଜେପି। ଏନେଇ ରବିବାର ବୁଥ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଦିଲ୍ଲୀବାସୀଙ୍କୁ ସମ୍ଵୋର୍ଦ୍ଧିତ କରିଛନ୍ତି ଅମିତ ଶାହ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସବୁ ଦଳର ନେତାଙ୍କୁ ଏକାଠି କରି ବର୍ତ୍ତମାନ ରଣନୀତି ପ୍ରସ୍ତୁତ କଲାଣି।
ଏହି ସମ୍ମିଳନୀରେ ଯୋଗ ଦେଇ ଅମିତ ଶାହ କହିଛନ୍ତି, “ଅନ୍ୟ ଦଳ ପାଇଁ ନିର୍ବାଚନ ଜିତିବାର ଅର୍ଥ ଶକ୍ତି ପ୍ରାପ୍ତ କରିବା। ହେଲେ ବିଜେପି ଲୋକତନ୍ତ୍ର ଉପରେ ବିଶ୍ଵାସ କରେ। ବର୍ତ୍ତମାନ ବିଜେପି ନେତାଙ୍କ ପାଖରେ ସମୟ ଅଛି ଦିଲ୍ଲୀରେ ପ୍ରତ୍ୟେକ ଘରେ ଘରେ ପହଞ୍ଚି ବିଜେପିର ନୀତି ବିଷୟରେ ଲୋକଙ୍କୁ କହିବା।”
ଦିଲ୍ଲୀରେ ବର୍ତ୍ତମାନ ଆପ୍ ସରକାର ରହିଛି। ବିଜେପି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହାରିବା ପରେ ଏବେ ଦିଲ୍ଲୀକୁ ଟାର୍ଗେଟ କରୁଛି। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିଜ ସରକାର ଥାଇ ବି ବିଜେପି ହାରିବା ଦଳ ପାଇଁ ଏକ ଅଶୁଭ ସଙ୍କେତ। ବର୍ତ୍ତମାନ ଦିଲ୍ଲୀରେ ବିଜେପି ଜିତିବା ଏକ ପ୍ରକାର କାଠିକରପାଠ ହୋଇପାରେ।


















