ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜନଜାଗରଣ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • କଲେଜ ଛକରୁ ଖାନନଗର ଗଲା ରାଲି
  • କଂଗ୍ରେସ ପାକିସ୍ତାନର କଥା କହୁଛି: ଧର୍ମେନ୍ଦ୍ର
  • ସିଏଏ ମୁସଲିମ୍‌ ବିରୋଧୀ ନୁହେଁ: ଧର୍ମେନ୍ଦ୍ର

କଟକ: ନାଗରିକତା ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ କଟକରେ ଜନଜାଗରଣ ଯାତ୍ରା କରିଛି ବିଜେପି। କଟକ କଲେଜ୍ ଛକଠାରୁ ଏହି ଜନଜାଗରଣ ଯାତ୍ରା ବାହାରି ଖାନନଗର ନିକଟରେ ପହଞ୍ଚିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସାମିଲ ହୋଇ କଂଗ୍ରେସ ଉପରେ ବର୍ଷିଥିଲେ।

‘‘ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନେ ପାକିସ୍ତାନ ଓ ଆଇଏସ୍‌ଆଇର କଥା କହୁଛନ୍ତି। କଂଗ୍ରେସ ବି ସମାନ କଥା କହୁଛି। ସିଏଏକୁ ନେଇ ବିରୋଧୀମାନେ ଭୁଲ୍ ବାର୍ତ୍ତା ପ୍ରଚାର କରୁଛନ୍ତି। ସେମାନେ ସିଏଏ ନାଁରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି’’, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାରେ ସିଏଏକୁ ନେଇ ହେଉଥିବା ଜନଜାଗରଣକୁ ଭଲ ଜନସମର୍ଥନ ମିଳୁଛି। ସିଏଏ ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାର କରାଯାଉଛି। ତେଣୁ ସିଏଏ ଉପରେ ସ୍ପଷ୍ଟତା ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି। ସିଏଏ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ଦେବାର ବ୍ୟବସ୍ଥା।

‘‘ନରେନ୍ଦ୍ର ମୋଦୀ ସରକାରଙ୍କ ନିୟମ ହେଲା ଗୋଟିଏ ଗୀତା, ଗୋଟିଏ ବାଇବେଲ ଏବଂ ଗୋଟିଏ କୁରାନ ଏବଂ ତା ନାଁ ହେଲା ଭାରତୀୟ ସମ୍ୱିଧାନ। ମୋଦୀ ସରକାର ‘ସବକା ସାଥ୍- ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ମନ୍ତ୍ରକୁ ନେଇ କାମ କରୁଛନ୍ତି। ସିଏଏ ଭାରତୀୟ ମୁସଲିମ୍‌ଙ୍କ ବିରୋଧରେ ନୁହେଁ। ସବୁଠୁ ଅଧିକ ଶରଣାର୍ଥୀ ଦଳିତ ବର୍ଗର। ଆମ୍ବେଦକରଙ୍କ ଫଟୋ ଧରି ରାଜନୀତି କରୁଥିବା ଲୋକମାନେ ବୁଝିବା ଦରକାର ସବୁଠୁ ଅଧିକ ଶରଣାର୍ଥୀମାନେ ଦଳିତ ବର୍ଗରେ ଅଛନ୍ତି। ସେମାନଙ୍କୁ ମୋଦୀ ଅଧିକାର ଦେଇ କ’ଣ ଭୁଲ କଲେ?’’

ଯେଉଁମାନେ ଦେଶ ଅପେକ୍ଷା ଭୋଟ ରାଜନୀତିକୁ ଗୁରୁତ୍ୱ ଦିଅନ୍ତି ସେମାନଙ୍କ ମନ ଭିତରେ ଡର ରହିଛି। ନରେନ୍ଦ୍ର ମୋଦୀଙ୍କ ଜନସମର୍ଥନ ଦେଖି ଭୟଭୀତ ହୋଇ ମୋଦୀଙ୍କ ବିରୋଧରେ ଅପପ୍ରଚାର କରିବାର ଷଡଯନ୍ତ୍ର କରାଯାଉଥିବା ଧର୍ମେନ୍ଦ୍ର କହିଛନ୍ତି।

ଜନଜାଗରଣ ଯାତ୍ରା ଆରମ୍ଭରୁ କେନ୍ଦ୍ର ମନ୍ତ୍ରୀ କଲେଜ୍ ଛକରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ କଲେଜ ଛକରୁ ବାହାରି ଶୋଭାଯାତ୍ରା ବାହାରି ରାଣୀହାଟ, ବଜ୍ରକବାଟି ରୋଡ୍, ଦୋଳମୁଣ୍ଡାଇ, ବାଦାମବାଡି ଦେଇ ଶେଷରେ ଖାନନଗରରେ ପହଞ୍ଚିଥିଲା। ଏହି ଅଭିଯାନ ମାଧ୍ୟମରେ ଶ୍ରୀ ପ୍ରଧାନ ସିଏଏକୁ ସମର୍ଥନ ପାଇଁ ୮୮୬୬୨୮୮୬୬୨କୁ ମିସ୍‌କଲ୍‌ କରି ମୋଦୀଙ୍କୁ ସମର୍ଥନ କରିବା ପାଇଁ ସେ ଅପିଲ କରିଥିଲେ।

ଏହି ଶୋଭାଯାତ୍ରାରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ନଗର ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ, ରାଜ୍ୟ ଉପସଭାପତି ନୟନ ମହାନ୍ତି, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର, ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟାରେ ବିଜେପି କର୍ମୀ ସାମିଲ୍ ହୋଇଥିଲେ।

Comment