ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଜେପି ସମଗ୍ର ଦେଶରେ ରବିବାରଠୁ ଜନଜାଗରଣ ଯାତ୍ରା ଆରମ୍ଭ କରିଛି। ଓଡ଼ିଶାରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରୁ ଏହାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏହାର ଶୁଭାରମ୍ଭ କରିଛନ୍ତି।

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଗ୍ରାମର ରାମଚଣ୍ଡୀ ମନ୍ଦିର ନିକଟରେ ଏକ ବିଶାଳ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟ ନାଗରିକଙ୍କର ନାଗରିତ୍ୱ କେହି ଛଡାଇ ନେବେ ନାହିଁ ବରଂ ଅନେକ ଶରଣାର୍ଥୀଙ୍କୁ ନାଗରିକତା ମିଳିବ।

‘‘ଏହି ଆଇନ ଲାଗୁ ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକରେ ବାସକରୁଥିବା ହିନ୍ଦୁ ବଙ୍ଗଳାଦେଶୀଙ୍କଠାରେ ଲାଗିଥିବା ଅନୁପ୍ରବେଶକାରୀ ପରି ଏକ ବିବାଦୀୟ ଶବ୍ଦ ଆଜିଠାରୁ ଛାଏଁ ଛାଏଁ  ଅପସାରଣ ହୋଇଗଲା’’, କହିଥିଲେ କୁଲସ୍ତେ।

ବିଶେଷକରି ମହାକାଳପଡ଼ା ବ୍ଲକରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ଆଇନ ସଂପର୍କରେ ଦଳୀୟ ନେତାମାନେ ସଚେତନ କରାଇଛନ୍ତି। କଂଗ୍ରେସ ତଥା ବିରୋଧୀଦଳ ପକ୍ଷରୁ ଏନେଇ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାବେଳେ ବିଜେପି ପକ୍ଷରୁ ଦେଶବ୍ୟାପୀ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ସଭାରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ଭୁବନମୋହନ ଜେନା, ବିଷ୍ଣୁ ଦାସ, ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତ୍ରୀ ପ୍ରଭାତି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଜନଜାଗରଣ ଯାତ୍ରା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ସାଧାରଣ ସଭା ଏବଂ ଶୋଭାଯାତ୍ରାମାନର ଆୟୋଜନ କରାଯାଉଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନ୍‍ ନେଇ ସଚେତନତା ର‍୍ୟାଲିମାନ ଆୟୋଜନ କରାଯାଉଛି।

Comment